ଗର୍ଭବତୀ ଥିଲେ, ମାରି ଦେଲେ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଜଣେ ଗର୍ଭବତୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମଙ୍ଗଳବାର ମହିଳା ଜଣକ ରୁମ୍‌ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ତାଙ୍କ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏ ନେଇ ବାଲିଅନ୍ତା ଥାନାରେ ସେମାନେ ଅଭିଯୋଗ କରିଛନ୍ତି। ମହିଳା ଜଣଙ୍କ ଗର୍ଭବତୀ ଥିଲେ ବୋଲି ଜଣାପଡ଼ିଛି।

ଗତ ଡିସେମ୍ବର ମାସରେ ଯାଜପୁରର ସୁବୀର କୁମାର ମଲ୍ଲିକଙ୍କ ସହ ତାଙ୍କର ବିବାହ ହୋଇଥିଲା। ଉଭୟ ସ୍ୱାମୀସ୍ତ୍ରୀ ଉଚ୍ଚ ଶିକ୍ଷିତ। ପାହାଳ ସ୍ଥିତ ଏକ ସଂସ୍ଥାରେ ସେମାନେ ଚାକିରି କରୁଥିଲେ।

ମୃତ ମହିଳାଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, ଏହି ଘଟଣାରେ ତାଙ୍କ ଭଉଣୀଙ୍କ ଶାଶୂଘରର ୪ ଜଣ ସମ୍ପୃକ୍ତ ଅଛନ୍ତି। କାରଣ ଉଭୟେ ସ୍ୱାମୀ-ସ୍ତ୍ରୀ ୮୦ ଲକ୍ଷ ଟଙ୍କାର ଏକ ଘର କିଣିଥିଲେ। ହେଲେ ଘର କିଣିଥିଲେ ବି କରଜରେ ଥିଲେ। ପୁଣି କଟକ ସିଡିଏରେ ୧୮ ଲକ୍ଷ ଟଙ୍କା ଦେଇ ଜାଗା କିଣିବେ ବୋଲି କହିଲେ। ସେଥିପାଇଁ ମୋ ଭଉଣୀକୁ କିଛି ଟଙ୍କା ଦିଅ ବୋଲି କହିଲେ। ହେଲେ ମୋ ଭଉଣୀ ମନା କରିଥିଲେ। ତା’ପରେ ଶାଶୂ ଘର ଲୋକେ କହିଲେ ବାପାଙ୍କୁ ମାଗ। ବାପା ଆସି ବୁଝାବୁଝି କରି ଦେଢ଼ ଲକ୍ଷ ଟଙ୍କା ଦେଇ ଯାଇଥିଲେ। କିନ୍ତୁ ପରେ ମୋ ଭଉଣୀକୁ ମାରି ଦେଇଥିବା ସେ ଅଭିଯୋଗ କରିଛନ୍ତି।

ପୁଲିସ ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।