ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ସରକାରଙ୍କ ପକ୍ଷରୁ ନାରୀ ଶକ୍ତି ପୁରସ୍କାର ୨୦୧୭ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନର ସେଣ୍ଟ୍ରାଲ ହଲ୍ରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦେଶର କୋଣ ଅନୁକୋଣରୁ ମହିଳାଙ୍କ ଉନ୍ନତି ଓ ସଚେତନତା, ସାମାଜିକ ସମାନତା ପାଇଁ ନିଜର ଉତ୍କୃଷ୍ଟ ସେବା ପ୍ରଦାନ କରିଥିବା ମହିଳା ସମାଜସେବୀଙ୍କୁ ମାନପତ୍ର ଓ ଉପଢୌକନ ସହ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ଅନେକ ବର୍ଷ ଧରି ମହିଳା ଅଧିକାର ପାଇଁ ସମର୍ପିତ ମହିଳା ଓ ପୁରୁଷଙ୍କୁ ସମାନ ଅଧିକାର ଦେବା ଦିଗରେ ନିରନ୍ତର କାର୍ଯ୍ୟରତ ତଥା ଭାରତୀୟ ସ୍ତ୍ରୀ ଶକ୍ତିର ପ୍ରତିଷ୍ଠାତା ସଦସ୍ୟ ଉର୍ମିଳା ବଳବନ୍ତ ଆପ୍ଟେଙ୍କୁ ସମ୍ମାନିତ କରାଯାଇଛି।
ମହିଳାଙ୍କ ଶିକ୍ଷା, କୌଶଳ ବିକାଶ, ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ, ଆର୍ଥିକ ଆତ୍ମ ନିର୍ଭରତା ଓ ଆତ୍ମସମ୍ମାନ କ୍ଷେତ୍ରରେ ବ୍ୟାପକ ସ୍ତରରେ କାର୍ଯ୍ୟ କରୁଛନ୍ତି ଉର୍ମିଳା। ଏହି ପୁରସ୍କାର ଭାରତୀୟ ସ୍ତ୍ରୀ ଶକ୍ତି ସହ ସମ୍ମିଳିତ ରହିଥିବା ଓଡିଶା ‘ସ୍ୱର’ (ଷ୍ଟ୍ରଙ୍ଗ ଓ୍ୱିମେନ ଆସୋସିଏସନ ଫର ରିଫରମେଶନ) ମହିଳା ସଂଗଠନକୁ ଏକ ନୂତନ ଉତ୍ସାହ ପ୍ରଦାନ କରିଛି।
‘ସ୍ୱର’ ପ୍ରତିଷ୍ଠାତା ସଦସ୍ୟ ଚନ୍ଦନା ଦାଶ, ସୁଜାତା ପାଢୀ, କ୍ରିଷ୍ଣା ଅଗ୍ରୱାଲ ଦୀପ୍ତିମୟୀ ପ୍ରହରାଜ, ମଧୁସ୍ମିତା, ସଂଘମିତ୍ରା ପ୍ରଧାନ, ସୁଜାତା ନାୟକଙ୍କ ସମେତ ବହୁ ମହିଳା ସ୍ୱେଚ୍ଛାସେବୀ ଉର୍ମିଳାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।