ରାଉର ଅର୍ଥ ନିଜ ଓ କେଲାର ଅର୍ଥ ଗାଁ, ରାଉରକେଲାର ଅର୍ଥ ବୁଝାଇଲେ ମହାମହିମ  

ରାଉରକେଲା(ଓଡ଼ିଶା ରିପୋର୍ଟର) ଉଦ୍‌ଘାଟନ ହୋଇଛି ରାଉରକେଲା ଇସ୍ପାତ କାରଖାନାର ସୁପର୍ ସ୍ପେଶାଲିଟି ହସ୍ପିଟାଲ୍। ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲକୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।  ରାଉରକେଳାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ହସ୍ପିଟାଲର ଫାଇଦା ଓ ଲୋକଙ୍କ ପାଇଁ ଏହାର ଉପକାରିତା ସମ୍ପର୍କରେ କହିଛନ୍ତି । ସାରା ବିଶ୍ୱରେ ସ୍ୱାସ୍ଥ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।  ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ସୁଶାସନର ଦୁଇଟି ପ୍ରଧାନ ସ୍ତମ୍ଭ ।

ତେଣୁ ରାଉରକେଲାରେ ସୁପର୍ ସ୍ପେଶାଲିଟି ହସ୍ପିଟାଲ୍ ଦ୍ୱାରା ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ଉପକୃତ ହେବେ । ତାସହ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ବି ସୃଷ୍ଟି ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି । ଅଭିଭାଷଣ ଆରମ୍ଭରୁ ରାଉରକେଲାର ସହର ଅର୍ଥ ବୁଝାଇ ଏହାର ପୁରାତନ ଇତିହାସ ସମ୍ପର୍କରେ ଅବଲୋକନ କରାଇଥିଲେ ରାଷ୍ଟ୍ରପତି । ରାଉରକେଲାର ଅର୍ଥକୁ ବୁଝାଇଥିଲେ ରାଷ୍ଟ୍ରପତି। ରାଉର ଅର୍ଥ ନିଜ ଓ କେଲାର ଅର୍ଥ ଗାଁ । ତାଛଡ଼ା ଦୁନିଆକୁ ରାଉରକେଲା ବହୁ ମହାନ ହକି ଖେଳାଳି ଦେଇଛି । ବିଶେଷ ଭାବେ ମହିଳା ହକି ଖେଳାଳୀଙ୍କୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି। ଓଡ଼ିଶା ହକି ବିଶ୍ୱକପ୍ର ଆୟୋଜକ ଥିଲା । ଏହାକୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି ରାମନାଥ ।

ଉଦ୍‌ଘାଟିତ ହସ୍ପିଟାଲରେ ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ, ନେଫ୍ରୋଲୋଜି ଭଳି ଅନ୍ୟାନ୍ୟ ବିଭାଗ ରହିଛି । ହସ୍ପିଟାଲରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ ୫ଟି ଅପରେସନ୍ ଥିଏଟର୍ ରହିଛି । ରାଉରକେଲା ସମେତ ପଡ଼ୋଶୀ ଜିଲ୍ଲାର ପାଖାପାଖି ୬ ଲକ୍ଷ ଲୋକଙ୍କ ପାଇଁ ବେଶ ଉପକୃତ ହେବେ।  କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସମେତ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ୍ ପ୍ରମୁଖ ଉପସ୍ଥିତ ଥିଲେ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।