ଧରାପଡ଼ିଲେ ପ୍ରିଜାଇଡିଂ ଅଫିସର, ପକ୍ଷପାତିତା କରିବା ଅଭିଯୋଗରେ ନିଲମ୍ୱିତ

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁରରେ ଭୋଟ୍‌ଗ୍ରହଣ ବେଳେ ଜଣେ ପ୍ରିଜାଇଡିଂ ଅଫିସର ନିଲମ୍ବିତ ହୋଇଛନ୍ତି। ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗରେ ବୁଥ୍ ନଂ-୧୯୩ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ପ୍ରିଜାଇଡିଂ ଅଫିସର ହେଉଛନ୍ତି ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଠିକିପାଲି ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ବାହାଦୂର ସାହୁ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

ବିଜେପୁର ଉପନିର୍ବାଚନ ପାଇଁ ମତଦାନ ସରିଲା। ଇଭିଏମ୍‌ରେ ସିଲ୍‌ ହେଲା ବିଜେଡିର ରୀତା ସାହୁ, ବିଜେପିର ଅଶୋକ ପାଣିଗ୍ରାହୀ, କଂଗ୍ରେସର ପ୍ରଣୟ ସାହୁଙ୍କ ଭାଗ୍ୟ। ଉପନିର୍ବାଚନରେ ସଂଧ୍ୟା ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଛି। ଗତ କିଛି ଦିନ ହେଲା ରାଜ୍ୟ ରାଜନୈତିକ ପାଣିପାଗକୁ ଉଷ୍ମ ରଖିଥିବା ବିଜେପୁର ବାଜି କିଏ ମାରୁଛି, ତାହା ୨୮ ତାରିଖରେ ଜଣାପଡ଼ିବ। ରାଜ୍ୟରେ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ଭିଭିପାଟ୍ ମେସିନ୍ ବ୍ୟବହାର କରାଯାଇଥିବା ବେଳେ ଭୋଟ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି।