ବେସିକ ଓ ଗ୍ରେଡ ପେ’ ଦାବିରେ ଧାରଣା ଦେବ ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର: କେନ୍ଦ୍ରୀୟ ଢାଞ୍ଚାରେ ପ୍ରାଥମିକ ଶିକ୍ଷକମାନଙ୍କୁ ବେସିକ ୯୩୦୦ ଓ ଗ୍ରେଡ ପେ’ ୪୨୦୦ ଟଙ୍କା ପ୍ରଦାନ ଦାବିରେ ଆସନ୍ତା ବିଧାନସଭା ଅଧିବେସନ ସମୟରେ ଲୋୟର ପିଏମଜିରେ ଧାରଣା ଦେବ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ। ଦେଶରେ ୨୧ଟି ରାଜ୍ୟ ଏହି ଦରମା ଦେଉଥିବାବେଳେ ରାଜ୍ୟ ସରକାର ବେସିକ ୫୨୦୦ ଓ ଗ୍ରେଡ ପେ’ ୨୨୦୦ ଟଙ୍କା ଦେଉଛନ୍ତି। ସମାନ ଯୋଗ୍ୟତା ଥାଇ ସେକେଣ୍ଡାରୀ ଶିକ୍ଷକମାନଙ୍କୁ ଗ୍ରେଡ ପେ’ ୨୮୦୦ ଟଙ୍କା ଦିଆଯାଉଥିବା ବେଳେ ପ୍ରାଥମିକ ଶିକ୍ଷକଙ୍କୁ ୨୨୦୦ ଟଙ୍କା ଦିଆଯାଉଛି ବୋଲି ସଂଘ ଅଭିଯୋଗ କରିଛି।

ଏହା ସହିତ ସମାନ କାମକୁ ସମାନ ଦରମା ନୀତିରେ ୧.୧.୨୦୧୬ ରୁ ଏହି ୨୮୦୦ ଟଙ୍କାର ଗ୍ରେଡ ପେ’ ପ୍ରଦାନ ପାଇଁ ଦାବି କରାଯାଇଛି। ପୂର୍ବରୁ ଏହି ଅସଙ୍ଗତିକୁ ଫିଟମେଣ୍ଟ କମିଟି ପାଖରେ ସଂଘ ଉପସ୍ଥାପନ କରିଥିଲେ ମଧ୍ୟ ସରକାର ଏହି ସମସ୍ୟା ଦୂର କରିନାହାଁନ୍ତି। ସରକାର ତୁରନ୍ତ ଏହି ଦାବି ପୂରଣ ନକଲେ ଆସନ୍ତା ଶୀତକାଳିନ ଅଧିବେସନ ସମୟରେ ସମସ୍ତ ୭୦ ହଜାର ପ୍ରାଥମିକ ଶିକ୍ଷକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘ ଚେତାବନୀ ଦେଇଛି।