ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ସମ୍ୱଲପୁର (ସଞ୍ଜୟ ଜେନା): ୩୦୦୦ ଗରିବ ଲୋକଙ୍କ ମୁହଁରେ ‘ଆହାର’ ଦେବାପାଇଁ ରନ୍ଧା ଯାଇଥିଲା ଖାଦ୍ୟ। ହେଲେ ସେହି ଖାଦ୍ୟକୁ ଟ୍ରାକ୍ଟରରେ ବୁହାଯାଇ ଫିଙ୍ଗାଗଲା। ଏପରି ଘଟଣା ସମ୍ୱଲପୁରରେ ଘଟିଛି। ଏନେଇ ଖବର ପ୍ରକାଶ ପାଇବା ପରେ ସମ୍ୱଲପୁର ଜିଲ୍ଲାପାଳ ଘଟଣାର ତଦନ୍ତ କରି ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବା ପାଇଁ ମହାନଗର ନିଗମର ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।</p> <p>ସମ୍ୱଲପୁର ଓ ବୁର୍ଲାରେ ଚାଲିଛି ୫ଟି ଆହାର କେନ୍ଦ୍ର। ଏହି କେନ୍ଦ୍ରଗୁଡ଼ିକରେ ପ୍ରାୟ ୩ ହଜାରରୁ ସାଢ଼େ ୪ ହଜାର ଲୋକ ଖାଦ୍ୟ ଖାଇଥାଆନ୍ତି। ସେଥିପାଇଁ ସମ୍ୱଲପୁରରେ ଥିବା ରୋଷଶାଳାରେ ଖାଦ୍ୟ ପ୍ରସ୍ତୁତ କରାଯାଇ ଆହାର କେନ୍ଦ୍ର ଗୁଡ଼ିକୁ ପଠାଯାଇଥାଏ। ମାତ୍ର ଏହି ଖାଦ୍ୟକୁ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ଭାରତ ବନ୍ଦ ଯୋଗୁ ଏପରି ଘଟିଥିବା ରୋଷଶାଳାର ମ୍ୟାନେଜର କହିଛନ୍ତି।</p> <p>ଭାରତ ବନ୍ଦର ପ୍ରଥମ ଦିନ ୧୫୦୦ ଓ ଦ୍ୱିତୀୟ ଦିନରେ ୧୫୦୦ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଫିଙ୍ଗା ଯାଇଛି। ଲୋକେ ଖାଇବାକୁ ଆସିନଥିବାରୁ ଖାଦ୍ୟ ଫିଙ୍ଗାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଦୁଇ ଦିନ ଭାରତ ବନ୍ଦ ରହିବା ଖବର ଜାଣି ମଧ୍ୟ କାହିଁକି ଏତେ ପରିମାଣରେ ଖାଦ୍ୟ ରୋଷେଇ କରାଯାଇଥିଲା? ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।</p> <p>ସୂଚନାରୁ ପ୍ରକାଶ, ୫ଟି ଆହାର କେନ୍ଦ୍ର ପାଇଁ ପ୍ରତିଦିନ କେତେ ରନ୍ଧାଯିବ, ସେହି ନିଷ୍ପତ୍ତି ନେଇଥାଆନ୍ତି ସମ୍ୱଲପୁର ମହାନଗର ନିଗମର ଡେପୁଟି କମିଶନର। ତାଙ୍କ ନିଷ୍ପତ୍ତି ପରେ ରନ୍ଧା ଯାଇଥାଏ। ଯଦି କମିଶନର ନିଷ୍ପତ୍ତି ନିଅନ୍ତି, ତାହାହେଲେ ସେ କଣ ଜାଣିନଥିଲେ ଦୁଇ ଦିନ ଭାରତ ବନ୍ଦ ରହିବ ବୋଲି। ତାହାହେଲେ କାହିଁକି ପ୍ରତିଦିନ ସାଢ଼େ ୪ ହଜାର ଲୋକଙ୍କ ପାଇଁ ରୋଷେଇ ହେଉଥିଲା? ସେ ଚାହିଁଥିଲେ କମ୍‌ ରୋଷେଇ ହୋଇପାରିଥାଆନ୍ତା। ଏବେ ଏତେ ପରିମାଣର ଖାଦ୍ୟ ଫିଙ୍ଗା ଯିବା ଘଟଣାର ଉତ୍ତର ଦାୟିତ୍ୱ କିଏ ନେବେ? ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଜି ଜିଲ୍ଲାପାଳ ତଦନ୍ତ ପାଇଁ ମହାନଗର ନିଗମର ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହାର ଖାଦ୍ୟ ପ୍ରସ୍ତୁତିରେ ଯେଉଁମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂଶ୍ଳିଷ୍ଟ ଅଛନ୍ତି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ସମ୍ୱଲପୁର ମହାନଗର ନିଗମର ଡେପୁଟି କମିଶନର ଘଟଣାର ତଦନ୍ତ କରି କାଲି ସୁଦ୍ଧା ରିପୋର୍ଟ ଜିଲ୍ଲାପାଳଙ୍କ ପାଖରେ ଜମା କରିବେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।