ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ବ୍ୟବସ୍ଥାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ। ଏହାର ପ୍ରତିବାଦରେ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଛି। ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ଶ୍ରୀଜଗନ୍ନାଥ ସେନାର ଆବାହାକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ପୁଲିସ୍ ଉଠାଇ ନେଇଛି।
ପ୍ରଥମ ଦିନ ଭଳି ଗତକାଲି ମଧ୍ୟ ଭକ୍ତ ଓ ସେବାୟତମାନେ ଏହି ବ୍ୟବସ୍ଥାକୁ ବିରୋଧ କରିଥିଲେ। ମଙ୍ଗଳ ଆଳତୀ ଦେଖିବା ଲାଗି ଭକ୍ତମାନେ ସିଂହଦ୍ୱାର ଦେଇ ଧସେଇ ପଶିଥିଲେ। ଅବଶ୍ୟ ପରେ ଶୃଙ୍ଖଳିତ ଭାବେ ଧାଡ଼ିଦର୍ଶନ ଆରମ୍ଭ ହୋଇଥିଲା।
ଦର୍ଶନରେ ବିଳମ୍ବ ହେଉଥିବାରୁ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ଧାଡ଼ି ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି। ଏପରିକି ତିନି ଦ୍ୱାର ବନ୍ଦ କରିବା ନିଷ୍ପତ୍ତି ପରମ୍ପରାକୁ କ୍ଷୂଣ୍ଣ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଏହି ଧାଡ଼ିଦର୍ଶନ ବ୍ୟବସ୍ଥା ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ପୁରୀ ବନ୍ଦ ଡାକରା ଦିଆଯାଇଛି। ସାମ୍ବାଦିକଙ୍କୁ ମାଡ଼, ରତ୍ନଭଣ୍ଡାର ଚାବି ହଜିବା ଓ ବ୍ରହ୍ମବିଭ୍ରାଟ ରିପୋର୍ଟ ପ୍ରସଙ୍ଗରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶ୍ରୀଜଗନ୍ନାଥ ସେନା କହିଛି।
ତିନି ଦ୍ୱାର ବନ୍ଦ ବ୍ୟବସ୍ଥାକୁ ଦୃଢ଼ ବିରୋଧ କରିଛନ୍ତି ସେବାୟତ। ଯଦି ତିନିଦ୍ୱାରକୁ ବନ୍ଦ କରାଯାଏ, ତାହାହେଲେ ହଜାର ହଜାର ଭକ୍ତ ସେହି ବାଟ ଦେଇ ଧସେଇ ପଶିବେ ବୋଲି ଚେତାବନୀ ଦେଇଛନ୍ତି ସେବାୟତ।
https://youtu.be/zk1RGN8ZRC0