ପୁରୀ: କଂକ୍ରିଟ ରାସ୍ତା ତଳେ ଦବି ଗଲା ୭୦ କୋଟି ଟଙ୍କା ସ୍ୱରେଜ ବ୍ୟବସ୍ଥା, ଦୋହରା ଖର୍ଚ୍ଚରେ ଚାଲିଛି ଉଦ୍ଧାର

ପୁରୀ: ଶ୍ରୀଜିଉଙ୍କ ନବକଳେବର ସହ ପୁରୀ ସହରର ରାସ୍ତାଘାଟର ବି ନବକଳେବର ହୋଇଥିଲା। ହେଲେ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ କୋଟି କୋଟି ଟଙ୍କାର ରାସ୍ତାକୁ ଏବେ ଖୋଳିବାକୁ ପଡୁଛି। ପ୍ରଶାସନିକ ଅପାରଗତା ଯୋଗୁଁ କଂକ୍ରିଟ ରାସ୍ତା ତଳେ ରହି ଯାଇଥିବା ୭୦ କୋଟି ଟଙ୍କାର ସ୍ୱରେଜ ବ୍ୟବସ୍ଥାକୁ ଏବେ ଉଦ୍ଧାର କରାଯାଉଛି। ତେବେ ନବକଳେବର ପୂର୍ବରୁ ଉନ୍ନୟନ କାମ ହେଉଥିବା ବେଳେ ଏସବୁ କ୍ଷେତ୍ର ପ୍ରତି କାହିଁକି ଦୃଷ୍ଟି ଦିଆଗଲା ନାହିଁ ବୋଲି ପ୍ରଶ୍ନ ହେଉଛି।

ନବକଳେବର ପାଇଁ ପୁରୁଣା ରାସ୍ତା ଉପରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା। ଫଳରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସ୍ୱରେଜ ମ୍ୟାନହୋଲ ଗୁଡିକ ପୋତି ହୋଇଯାଇଥିଲା। ଏବେ ରାସ୍ତା ଖୋଳାଯାଇ ମ୍ୟାନହୋଲ ଚିହ୍ନଟ କରାଯିବା ସହ ସେଗୁଡିକୁ ଉଚ୍ଚା କରାଯାଉଛି। ରାସ୍ତା ଖୋଳାଖୋଳି ଯୋଗୁଁ ସହରବାସୀ ତ ହଇରାଣ ହେଉଛନ୍ତି, ରାଜକୋଷରୁ ବି ବିପୁଳ ଅର୍ଥ ବ୍ୟୟ ହେଉଛି।

ପ୍ରାୟ ୮ହଜାର ମ୍ୟାନହୋଲ ରାଜରାସ୍ତା ତଳେ ପୋତି ହୋଇ ରହିଛି କଂକ୍ରିଟ ରାସ୍ତା ତଳେ। ନବକଳେବର ସମୟରେ ପୂର୍ତ୍ତ ବିଭାଗ ଓ ପୁରୀ ପୌରସଂସ୍ଥା ତରଫରୁ ରାସ୍ତାରେ ଥିବା ମ୍ୟାନହୋଲ ଉପରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା। ଏବେ ସ୍ୱରେଜ ବିଭାଗ ପକ୍ଷରୁ ପ୍ରକଳ୍ପ ଚାଲୁ କରିବା ପାଇଁ ମ୍ୟାନହୋଲ ଗୁଡିକୁ ଉଦ୍ଧାର କରାଯାଉଛି। ଏଥିପାଇଁ ସ୍ୱରେଜ ପ୍ରକଳ୍ପର କୋଟି କୋଟି ଟଙ୍କା ପାଣିରେ ପଡିବା ସାର ହୋଇଛି।

ପୁରୀ ବାସିନ୍ଦା ବାସୁଦେବ ଦାସ ଏବଂ ପ୍ରମୋଦ ସିଂ କହିଛନ୍ତି, ଏହା କେବଳ ଠିକାଦାର ପୋଷା ନୀତି। ଆସିଥିବା ଅର୍ଥ ବାଟମାରଣ କରାଯିବା ଛଡା ଆଉ କିଛି ନୁହେଁ।

ସୂଚନାଯୋଗ୍ୟ, ସ୍ୱରେଜ ପ୍ରକଳ୍ପ କାମ ୨୦୦୩ରେ ଆରମ୍ଭ ହୋଇଥିଲା। ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ୫ ବର୍ଷ ଧାର୍ଯ୍ୟ ହୋଇଥିଲା। ଏହା ମଧ୍ୟରେ ୧୩ ବର୍ଷ ବିତି ଯାଇଥିଲେ ବି ପ୍ରକଳ୍ପ କାମ ସରିନାହିଁ।

ନବକଳେବର ଭିତ୍ତିଭୂମି ତଦାରଖ କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତି ଏଥିପାଇଁ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବକୁ ଦାୟୀ କରିଛନ୍ତି। ଆସନ୍ତା ୪ ତାରିଖରେ ଏ ନେଇ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ପ୍ରାଥମିକ ଭାବେ ପ୍ରକଳ୍ପ ପାଇଁ ୪୮ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଏହା ଏବେ ବଢି ୮୦ କୋଟି ୪୮ ଲକ୍ଷ ଟଙ୍କାରେ ପହଞ୍ଚିଛି। ସେଥିରୁ ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି।