ଜମି ଦଲାଲଙ୍କ କବ୍‌ଜାରେ ସ୍ୱର୍ଗକୁ ନିଶୁଣି

ପୁରୀ: ପୁରୀ ସ୍ୱର୍ଗଦ୍ୱାର ଜମି ହଡପ୍‌ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ତଦନ୍ତ ତନାଘନା ଆରମ୍ଭ କରିଦେଇଛି। ପ୍ରାଥମିକ ତଦନ୍ତରୁ ସ୍ୱର୍ଗଦ୍ୱାରର ୧୬ ଏକର ୪୦୦ ଡିସିମିଲ୍‌ ଜମିରୁ ୧୦ ଏକର ୩୪୨ ଡିସିମିଲ ଜମିକୁ ୧୫୮ ଜଣଙ୍କ ନାଁରେ ରେକର୍ଡ଼ଭୁକ୍ତ କରାଯାଇଥିବାର ପ୍ରମାଣ ମିଳିଛି। ଅନ୍ୟପକ୍ଷରେ ଭକ୍ତଙ୍କ ଭାବାବେଗ ସହିତ ଜଡିତ ସ୍ୱର୍ଗକୁ ନିଶୁଣିକୁ ମଧ୍ୟ ଜମି ଦଲାଲ ଛାଡି ନାହାନ୍ତି। ସ୍ୱର୍ଗକୁ ଯିବା ପାଇଁ ତିଆରି ହୋଇଥିବା ନିଶୁଣିର ଦୁଇଟି ଖମ୍ୱ ଭିତରୁ ଗୋଟିକରେ ଏକ ହୋଟେଲ ଠିଆ ହୋଇଥିବା ଅଭିଯୋଗ ହୋଇଛି।

ସ୍ୱର୍ଗକୁ ନିଶୁଣି ବା ସ୍ୱର୍ଗକୁ ଶିଡି। ବିଶ୍ୱାସ ରହିଛି ତ୍ରେତେୟା ଯୁଗରେ ଲଙ୍କେଶ୍ୱର ରାବଣ ସିଧାସଳଖ ସ୍ୱର୍ଗଗମନ ପାଇଁ ଏମିତି ଶିଡିର ପରିକଳ୍ପନା କରିଥିଲେ। ସେଥିପାଇଁ ମହୋଦଧି ତଟରେ ସ୍ୱର୍ଗଦ୍ୱାରରେ ଥିବା ଏହି ଶିଡି ସହିତ ଯୋଡି ହୋଇ ରହିଛି ହିନ୍ଦୁଙ୍କ ଭକ୍ତି ଭାବନା। ହେଲେ ଅଭିଯୋଗ ହେଉଛି ସେଇ ଶିଡିର ଗୋଟିଏ ଖମ୍ୱ ଉପରେ ଡିଆ ହୋଇଛି ଏକ ଗେଷ୍ଟ ହାଉସ୍‌। ଶିଡିର ଅନ୍ୟ ଖମ୍ୱ ଓ ମଣାଣୀ ମହାଦେବଙ୍କ ମନ୍ଦିର ସଂକୀର୍ଣ୍ଣ ହୋଇଯାଇଥିବା ଖତିଆନ ନମ୍ୱର ୮୨୮ ଓ ପ୍ଲଟ ନମ୍ୱର ୧୩୯୯ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏହି ଜମିର କିସମ ସ୍ୱର୍ଗକୁ ନିଶୁଣି। ଯାହାର ମାର୍ଫତଦାର ହେଉଛନ୍ତି ଜଗନ୍ନାଥ ପରିଚାଳନା କମିଟି।

ବେଳାଭୂମି ସୁରକ୍ଷା ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ କହିଛନ୍ତି,“ରେକର୍ଡ଼ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଏହା ଦେବ ସ୍ଥଳୀ ଓ ଐତିହାସିକ ସ୍ଥାନ। ଏହା ସତ୍ତ୍ୱେ ନିଶୁଣି ଉପରେ ଗେଷ୍ଟ ହାଉସ ତିଆରି କରାଯାଇଛି। ଯେଉଁଥିପାଇଁ ପୁରୀକୁ ଆସିଥିବା ଲୋକେ ସ୍ୱର୍ଗକୁ ନିଶୁଣି ଖୋଜିଲେ ମଧ୍ୟ ପାଉନାହାନ୍ତି।”

ସ୍ୱର୍ଗକୁ ନିଶୁଣିର ଏଭଳି ଜବରଦଖଲକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଜଗନ୍ନାଥ ସଂସ୍କୃତି ପ୍ରେମୀ। ସ୍ୱର୍ଗଦ୍ୱାର ସହ ନିଶୁଣିର ମଧ୍ୟ ପୁନରୁଦ୍ଧାର କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।