ଶ୍ରୀମନ୍ଦିର ପରିଚାଳନା ସଂସ୍କାରକୁ ନେଇ କମିଶନଙ୍କ ପ୍ରସ୍ତାବକୁ ସେବାୟତଙ୍କ ନାପସନ୍ଦ

ପରୀ: ଶ୍ରୀମନ୍ଦିର ପରିଚାଳନା ସଂସ୍କାରକୁ ନେଇ କମିଶନ ଜଷ୍ଟିସ ବିପି ଦାସଙ୍କ ପ୍ରସ୍ତାବକୁ ସେବାୟତମାନେ ନାପସନ୍ଦ କରିଛନ୍ତି। ଶ୍ରୀମନ୍ଦିରରେ ପରିଚାଳନା ତଦାରଖ ପାଇଁ ମନ୍ଦିର ପରିସରରେ ଭିଜିଲାନ୍ସ କାର୍ଯ୍ୟାଳୟ ପ୍ରତିଷ୍ଠା ଓ ସେବାୟତଙ୍କୁ ଚାକିରି ଦିଆଯିବା ପ୍ରସ୍ତାବକୁ ମଧ୍ୟ ସେବାୟତମାନେ ବିରୋଧ କରିଛନ୍ତି।

ବରିଷ୍ଠ ସେବକ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି,“କର୍ମଚାରୀଙ୍କୁ ଦରମା ଦେବା ମନ୍ଦିର ପକ୍ଷରେ ସମ୍ଭବ ହେଉନି। ସେପରିସ୍ଥଳେ ସେବାୟତଙ୍କୁ କଣ ଦରମା ଦେବେ?”

ବରିଷ୍ଠ ସେବାୟତ ଦାମୋଦର ପଧାନୀ କହିଛନ୍ତି,“ଯେଉଁ ପରମ୍ପରା ତିରୁପତିରେ ନାହିଁ ତାହା ଶ୍ରୀମନ୍ଦିରରେ ରହିଛି। ଶ୍ରୀମନ୍ଦିର ପରମ୍ପରା ସମ୍ପୂର୍ଣ୍ଣ ନିଆରା। ତେଣୁ ତିରୁପତିର ପରମ୍ପରାକୁ ଏଠାରେ ଲାଗୁ କରିବା ସମ୍ଭବପର ନୁହେଁ। ମାତ୍ର ବିଧିବ୍ୟବସ୍ଥାରେ କେଉଁଠି ଶୃଙ୍ଖଳିତ କରାଯାଇ ପାରେ।”

ମୁକ୍ତି ମଣ୍ଡପ ପଣ୍ଡିତ ସଭାର ଉପସଭାପତି ଅଶୋକ ମହାପାତ୍ର କହିଛନ୍ତି,“ଫୁଡ୍‌ ଇନ୍ସପେକ୍ଟର ନିୟୋଜନ କଥାକୁ ଆମେ ଗ୍ରହଣ କରିପାରୁନୁ। ଭିଜିଲାନ୍ସ ଓ ସେବାୟତଙ୍କୁ ଦରମା ପ୍ରଦାନ ପ୍ରସ୍ତାବ ସ୍ୱାଗତ ଯୋଗ୍ୟ। ତାହା କାର୍ଯ୍ୟକାରୀ ହେଲେ ଜଗନ୍ନାଥ ମନ୍ଦିର ଶୃଙ୍ଖଳିତ ହୋଇପାରିବ।”

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ କହିଛନ୍ତି,“କମିଶନଙ୍କ ପ୍ରସ୍ତାବକୁ ସ୍ୱାଗତ କରିବି। ସେବାୟତଙ୍କୁ ଉପଯୁକ୍ତ ଦରମା ଦିଆଯାଉ। ଯେଉଁମାନଙ୍କୁ ସେବାରେ ନିୟୋଜିତ କରାଯାଇପାରିବନି ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉ।”