ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକୁ ଅବମାନନା; BSE ପଦ୍ଧତି ଜାଣି ନାହାନ୍ତି ଛାତ୍ରଛାତ୍ରୀ

ପୁରୀ (ଓଡ଼ିଶା ରିପୋର୍ଟର): ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ଧାର୍ଯ୍ୟ ନୂଆ ପ୍ୟାଟର୍ଣ୍ଣ ଅନୁଯାୟୀ ପରୀକ୍ଷା କରିବା ଉପରେ ଗୁରୁତ୍ୱ ଦେଉଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ। ଏହାଦ୍ୱାରା ପିଲାମାନେ ପ୍ରଶ୍ନର ପ୍ୟାଟର୍ଣ୍ଣ ଜାଣିପାରିବେ। ଏହା ସେମାନଙ୍କୁ ପରୀକ୍ଷା ଦେବାରେ ସାହାଯ୍ୟ କରିବ। କିନ୍ତୁ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗର କଡ଼ା ତାଗିଦ ସତ୍ତ୍ୱେ ଏହାକୁ ଅଣଦେଖା କରି ଚାଲିଛନ୍ତି କିଛି ସ୍କୁଲ କର୍ତ୍ତୃପକ୍ଷ।

ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଚାନକ ପୁରୀ ଜିଲ୍ଲା ସ୍କୁଲ ଗସ୍ତ ସମୟରେ ଏହି ଘଟଣାର ଖୁଲାସା ହୋଇଛି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ମନ୍ତ୍ରୀ ଆଲୋଚନା କଲା ବେଳେ  BSE ପ୍ୟାଟର୍ଣ୍ଣ ପରୀକ୍ଷା କ’ଣ ସେମାନେ ଜାଣି ନ ଥିବା କହିଥିଲେ। ଏହାକୁ ନେଇ ମନ୍ତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ବିନା ନୋଟିସରେ ଅନୁପସ୍ଥିତ ଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସୋ-କଜ ନୋଟିସ୍‌ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, “୩୦ ପ୍ରତିଶତ କୋର୍ସ କାଟିବା ସତ୍ତ୍ୱେ କେତେ ପ୍ରତିଶତ କୋର୍ସ ସରିଛି, ତାହା ଅନୁଧ୍ୟାନ କଲି। ପିଲାଙ୍କୁ ପରୀକ୍ଷାର ପ୍ୟାଟର୍ଣ୍ଣ ସମ୍ପର୍କରେ ଅବଗତ କରାଇବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରତି ମାସ ପରୀକ୍ଷା କରାଯାଉଛି। ଏହାଦ୍ୱାରା ପିଲାମାନେ ପରୀକ୍ଷାରେ ପଡ଼ିବାକୁ ଥିବା ପ୍ରଶ୍ନର ପ୍ୟାଟର୍ଣ୍ଣ ଜାଣିପାରିବେ। ଏହା ସେମାନଙ୍କୁ ପରୀକ୍ଷା ଦେବାରେ ସାହାଯ୍ୟ କରିବ।  ଜାନୁଆରୀ ଓ ଫେବ୍ରୁଆରୀ ପରୀକ୍ଷା ହୋଇଥିଲା। ମାର୍ଚ୍ଚରେ ମଧ୍ୟ ହେବ।”

ସେ ଆହୁରି କହିଛନ୍ତି, “ସବୁ ସ୍କୁଲ୍‌ର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏ ସର୍ମ୍ପରେ ଅବଗତ କରାଯାଇଛି। ଏହା ସତ୍ତ୍ୱେ ପୁରୀ ଜିଲ୍ଲା ସ୍କୁଲରେ ଏହି ପରୀକ୍ଷା ହୋଇନାହିଁ। ଏହି ସ୍କୁଲରେ ଜାନୁଆରୀ ଓ ଫେବ୍ରୁଆରୀରେ ଏହି ପ୍ୟାଟର୍ଣ୍ଣରେ ପରୀକ୍ଷା ହୋଇ ନ ଥିଲା।”

ଏନେଇ ପୁରୀ ଜିଲ୍ଲା ଡିଇଓ କହିଛନ୍ତି, “ମନ୍ତ୍ରୀ ଦଶମ ପିଲାଙ୍କ ପାଖକୁ ଯାଇ କୋର୍ସ କେତେ ସରିଛି ପଚାରିଥିଲେ। ଏହି ସ୍କୁଲ ପିଲାଙ୍କୁ ଶିକ୍ଷକମାନେ ବୋର୍ଡର ନୂଆ ପ୍ୟାଟର୍ଣ୍ଣ ବିଷୟରେ ଅବଗତ ନ ଥିବା ଜଣାପଡ଼ିଲା। କିନ୍ତୁ ଶିକ୍ଷକମାନେ ଉକ୍ତ ୱେବସାଇଟରୁ ପ୍ରଶ୍ନ ଡାଉନଲୋଡ୍‌ କରି ଜାନୁଆରୀ ଓ ଫେବ୍ରୁଆରୀରେ ୟୁନିଟ୍ ଟେଷ୍ଟ୍ କରିଛନ୍ତି। ହେଲେ ପିଲାମାନେ ସମ୍ପୃକ୍ତ ୱେବସାଇଟ୍‌ ବିଷୟରେ ଅବଗତ ନାହାନ୍ତି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।