ପୁରୀରେ ଆଇନଜୀବୀ ହତ୍ୟା ଘଟଣା: ତିନି ଅଭିଯୁକ୍ତଙ୍କୁ ଦୁଇ ଦିନ ରିମାଣ୍ଡରେ ନେଲା ପୋଲିସ୍‌

ପୁରୀ: ପୁରୀରେ ଆଇନଜୀବୀ ଚନ୍ଦନ ବେହେରା ହତ୍ୟାକାଣ୍ଡ ମାମଲାରେ ତିନି ଅଭିଯୁକ୍ତଙ୍କୁ ଆଜି ଦୁଇ ଦିନ ରିମାଣ୍ଡରେ ନେଇଛି ପୋଲିସ୍‌। ରିମାଣ୍ଡରେ ଯାଇଥିବା ଅଭିଯୁକ୍ତମାନେ ହେଲେ ଜଗା, କପିଳା ଏବଂ ବରଜୁ। ଦରକାର ପଡ଼ିଲେ ଚନ୍ଦନଙ୍କ ପତ୍ନୀ ନିବେଦିତାଙ୍କୁ ମଧ୍ୟ ପୋଲିସ୍‌ ରିମାଣ୍ଡରେ  ନେଇ ପଚାଉଚରା କରିବ ପୋଲିସ୍‌। ଏନେଇ ପୁରୀ ଏସପି ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି।

ସମ୍ପର୍ତ୍ତି ପାଇଁ ସ୍ତ୍ରୀ ସ୍ୱାମୀର ଜୀବନ ନେଇଛି ନା ହତ୍ୟାକାଣ୍ଡ ପଛରେ  ଆଉ କିଛି ରହସ୍ୟ ରହିଛି, ଏହି ରହସ୍ୟର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ଏଥିରେ କେଉଁ ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି, ଏଥିପାଇଁ କେତେ ଟଙ୍କାର କାରବାର ହୋଇଛି ଓ ସ୍ତ୍ରୀ ନିବେଦିତାଙ୍କ ସହିତ ଲିଟୁ ଓରଫ ନରେନ୍ଦ୍ର ଦାସଙ୍କ ସହ ହୋଇଥିବା ଏଗ୍ରିମେଣ୍ଟ ବୁଝାମଣା କ’ଣ ରହିଛି ଏସବୁର ତଦନ୍ତ କରିବ ପୋଲିସ୍‌।

ଅନ୍ୟପକ୍ଷରେ  ଲିଟୁ ହଠାତ୍ କୋର୍ଟରେ  ଯାଇ ଆତ୍ମସମର୍ପଣକୁ ପୋଲିସ୍‌ ସହଜରେ  ଗ୍ରହଣ କରିପାରୁ ନାହିଁ। ତାକୁ କିଏ ପୁରୀରେ  ଲୁଚାଇ  ରଖିଥିଲା କି, ସେନେଇ ମଧ୍ୟ ତଦନ୍ତ କରାଯାଉଛି।

ନିବେଦିତା ଓ ଲିଟୁ ମଧ୍ୟରେ ସମ୍ପତ୍ତି କିଣାବିକାରେ ଜଣେ ଓକିଲଙ୍କ ସହ ୨ଜଣ ସାମ୍ବାଦିକଙ୍କ ମଧ୍ୟ ହାତ ଥିବା ପୋଲିସ୍‌ ସନ୍ଦେହ କରୁଛି। ପୋଲିସ୍‌ ଅଭିଯୁକ୍ତଙ୍କୁ ପଚରାଉଚରା ବଳେ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ପୁରୀ ଏସପି କହିଛନ୍ତି।