ଶ୍ରୀଜିଉଙ୍କ ରଥ ନିର୍ମାଣରେ ହେବନି ବିଭ୍ରାଟ୍‌: ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ୍‌

ପୁରୀ: ପୁରୀରେ ଶ୍ରୀଜିଉଙ୍କ ରଥ ନିର୍ମାଣକୁ ତ୍ରୁଟିମୁକ୍ତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱ। ଏଣିକି ଶ୍ରୀଜିଉଙ୍କ ରଥ ନିର୍ମାଣର ଏକ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିବ। ରଥ ନିର୍ମାଣରେ ତ୍ରୁଟି ପରଖିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଏଥିଲାଗି ଏକ କମିଟି ଗଠନ କରାଯାଇଛି। କମିଟି ସଦସ୍ୟଙ୍କ ଉପସ୍ଥିତିରେ ରଥ ମାପଚୁପ କରାଯାଇଛି।

ପ୍ରାଥମିକ ପର୍ଯ୍ୟାୟରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମାପଚୁପ କରାଯାଇଛି। ରଥର ଚକ, ଅଖ, ଅର, ତୁମ୍ବ, ଅଖର ଲମ୍ବ, ଗୋଲେଇ ଆଦି ମପା ଯାଇଛି। ସମସ୍ତ ରଥର ମାପଚୁପ ନିଆଯାଇ କମ୍ପୁଟରରେ ତଥ୍ୟ ରଖାଯିବ। ରଥ ନିର୍ମାଣର ଏକ ସ୍ୱତନ୍ତ୍ର ଥ୍ରୀଡି ଡ୍ରଇଂ ପ୍ରସ୍ତୁତ କରାଯିବ। ଏହି ବ୍ଲୁ ପ୍ଲିଣ୍ଟ ରଥ ନିର୍ମାଣ ଦାୟିତ୍ୱରେ ଥିବା ମହାରଣା ବ୍ୟତୀତ, ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିବ। ଏହାଦ୍ୱାର ରଥର ପ୍ରତି ଅଂଶର ନିର୍ମାଣ ଉପରେ ନଜର ରଖାଯାଇ ପାରିବ ବୋଲି ପୂର୍ତ୍ତ ବିଭାଗ ଯନ୍ତ୍ରୀ କହିଛନ୍ତି। ସେପଟେ ଶ୍ରୀମନ୍ଦିର ପ୍ରଶାସନର ଏଭଳି ପଦକ୍ଷେପକୁ ନାପସନ୍ଦ କରିଛି ମହାରଣା ସେବକ।