ମିଳିଲା ଭିତର ରତ୍ନଭଣ୍ଡାର ଚାବି
ପୁରୀ (ଓଡ଼ିଶା ରିପୋର୍ଟର): ଶେଷରେ ମିଳିଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି। ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ହଜିଥିବା ଚାବିର ଏକ ଡୁପ୍ଲିକେଟ୍ ଚାବି ମିଳିଛି। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି।
ଜିଲ୍ଲା ରେକର୍ଡ ରୁମ୍ ଲକରରୁ ଏହି ଡୁପ୍ଲିକେଟ୍ ଚାବି ମିଳିଥିବା ଅରବିନ୍ଦ କହିଛନ୍ତି। ସେ କହିଛନ୍ତି, “ଏକ ୪ ଜଣିଆ ଟିମ୍ ୫ ଦିନ ହେବ ଚାବି ଖୋଜୁଥିଲେ। ବହୁ ଖୋଜାଖୋଜି ପରେ ଜିଲ୍ଲା ରେକର୍ଡ ରୁମ୍ ଲକରରେ ଏକ ଜଉମୁଦ ଲଫାପାରୁ ଚାବି ମିଳିଛି।”
ସୂଚନାଯୋଗ୍ୟ, ଚାବି ହଜିବା ଘଟଣା ଜଣାପଡିବା ପରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ରାଜନୀତି ବି ଜୋର ଧରିଥିଲା। ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଏହାକୁ ନେଇ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ କାଠଗଡ଼ାରେ ଛିଡା କରିଛନ୍ତି। କଂଗ୍ରେସ ଏହି ଘଟଣାକୁ ତୀବ୍ର ସମାଲୋଚନା କରିଥିବା ବେଳେ ବିଜେପି ସବୁ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରି ଥାନାରେ ଏତଲା ଦେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।