ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ୭ ମାସ ପରେ ଆସନ୍ତାକାଲି ବସୁଛି ନୂତନ ପରିଚାଳନା ପରିଷଦର ପ୍ରଥମ ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଚଳିତବର୍ଷ ଶ୍ରୀମନ୍ଦିରର ବଜେଟ୍ ସହ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ଅନ୍ତରୀଣ ରିପୋର୍ଟ ଉପରେ ଆଲୋଚନା କରାଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି।
ନୂତନ ପରିଚାଳନା ପରିଷଦର ବୈଠକରେ ଶ୍ରୀମନ୍ଦିରରେ ପୂର୍ବ ଆର୍ଥିକ ବର୍ଷରେ କେତେ ଆୟ ଓ କେତେ ବ୍ୟୟ ଅଟକଳ କରାଯାଇଥିଲା, ତାହା ଉପରେ ଆଲୋଚନା କରାଯିବ। ଚଳିତବର୍ଷର ଆୟ ବ୍ୟୟକୁ ନେଇ ଏକ ଖସଡା ପ୍ରସ୍ତୃତ କରାଯିବ। ବିଶେଷ କରି ରାଜସ୍ୱ ଆୟ, ଶ୍ରୀଜଗନ୍ନାଥଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ଆୟକୁ ନେଇ ଆଲୋଚନା କରାଯିବ। ପୂର୍ବ ପରିଚାଳନା ପରିଷଦର ବୈଠକରେ ନିଆଯାଇଥିବା ବିଭିନ୍ନ ସେବାୟତ କଲ୍ୟାଣ ଯୋଜନା ଉପରେ ନିଷ୍ପିତିକୁ କିପରି କାର୍ଯ୍ୟକାରୀ କରାଯିବ ଓ ପୂର୍ଣ୍ଣାଙ୍ଗ ରୂପ ନିଆଯିବ ତାହା ଉପରେ ଆଲୋଚନା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ଚଳିତଥର ପ୍ରଥମ ଥର ପାଇଁ ପରିଚାଳନା ପରିଷଦକୁ ୫ଜଣ ସେବାୟତଙ୍କ ଭିତରୁ ୪ଜଣ ନୂତନ ଭାବେ ମନୋନୀତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।