ଶ୍ରୀକ୍ଷେତ୍ର ଆସି ନିରାଶ ହୋଇନଥିଲେ ମହାତ୍ମା ଗାନ୍ଧି, ଖୋଲିଲା ରହସ୍ୟ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀ ମନ୍ଦିର ଆସିଥିଲେ କି ଜାତିର ପିତା ମହାତ୍ମା ଗାନ୍ଧି। ଏ ନେଇ ଦୀର୍ଘ ଦିନ ହେବ ସସପେନ୍ସ ଜାରି ରହିଥିବା ବେଳେ ଏହା ଏହା ଉପରେ ପର୍ଦା ଉଠିଛି। ମହାତ୍ମା ଗାନ୍ଧି ପୁରୀ ଆସିଛନ୍ତି ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହାର ମଧ୍ୟ ଠୋସ୍ ପ୍ରମାଣ ମିଳିଛି। ଗୁଜରାଟ ଯାତ୍ରୀପଣ୍ଡା ରଘୁନାଥଙ୍କ ନଥିପତ୍ରରୁ ଏହି ପ୍ରମାଣ ମିଳିଛି। ସେପଟେ ମହାତ୍ମାଗାନ୍ଧୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସିନଥିବା ଯେଉଁ ପ୍ରଚାର ହେଉଛି, ତାହା ପୂରା ମିଥ୍ୟା। ଆଫ୍ରିକାରେ ଥିବାବେଳେ ଏକ ପତ୍ରିକାରେ ଶ୍ରୀଜଗନ୍ନାଥଙ୍କୁ ନେଇ ଗାନ୍ଧି ନିଜର ଭାବନା ବ୍ୟକ୍ତ କରିଛନ୍ତି ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ସମନ୍ୱୟ ପ୍ରତୀକ ଵୋଲି ବିବେଚନା କରିଛନ୍ତି ବୋଲି ଗାନ୍ଧୀବାଦୀ ଲେଖକ।

ସ୍ୱାଧୀନତା ସଂଗ୍ରାମ କାଳରେ ମୋଟ ୮ଥର ଓଡିଶା ଆସି ଏଇ ମାଟିର ଜନଜୀବନକୁ, ଗରିବୀ ଓ ଦୁଃଖ ଦୁର୍ଦ୍ଦଶାକୁ ଅତି ପାଖରୁ ଦେଖିଛନ୍ତି। ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର ଗସ୍ତ ଓ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଏବଂ ଓଡିଶା ଆଗମନର ଶତବାର୍ଷିକୀ ଚଳିତ ବର୍ଷ ପାଳନ ହେଉଛି। ମହାତ୍ମାଗାନ୍ଧୀ ଓଡ଼ିଶାକୁ ବେଶ ଭଲପାଆନ୍ତି ତାର ଅନନ୍ୟ ନିଦର୍ଶନ ହେଉଛି ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଅନୁରକ୍ତି, ଭକ୍ତି ଓ ଭାବ ଯାହା ଦେଖିବାକୁ ମିଳିଥିଲା।

୧୯୨୧ ମସିହା ମାର୍ଚ୍ଚ ୨୭ ତାରିଖରେ ଗାନ୍ଧୀ, କସ୍ତୁରବା ଏବଂ ସାନ ପୁଅ ଦେବଦାସଙ୍କ ସହ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଗର୍ଭଗୃହ ଭିତରକୁ ଯାଇ ଦର୍ଶନ କରି ତାଙ୍କର ଭକ୍ତି ଅର୍ଘେ ପ୍ରଦାନ କରିଥିଲେ। ଯାହାର ପ୍ରମାଣ ଗୁଜୁରାଟ ପଣ୍ଡାଙ୍କ ନଥିପତ୍ରରୁ ମିଳିଛି। ମହାତ୍ମାଙ୍କ ଶହେ ବର୍ଷ ତଳର ସେହି ଦୁର୍ମୁଲ୍ୟ ହାତ ଲେଖା ଓ ଦସ୍ତଖତ ଉପରେ ରଘୁନାଥଙ୍କ କହିବା ଅନୁଯାୟୀ, ଏହା ତାଙ୍କ ଜେଜେ ଗୋପୀନାଥ ଗୋଚ୍ଛିକାରଙ୍କ ସମୟର କଥା ଯାହାକୁ ସେ ଆଜି ଯାଏ ସାଇତି ରଖିଛନ୍ତି।

୧୯୨୧ ମାର୍ଚ୍ଚ ୨୩ ତାରିଖରେ ପ୍ରଥ ଥର ପାଇଁ ଓଡ଼ିଶା ଆସିଥିଲେ ମହାତ୍ମା ଗାନ୍ଧି। ଯାହା ପରେ ଗାନ୍ଧି ୨୬ରୁ ୨୮ ପର୍ଯ୍ୟନ୍ତ ପୁରୀରେ ରହିଥିଲେ। ଏହି ସମୟରେ ପୁରୀ ବଡ଼ଦାଣ୍ଡରେ ଗାନ୍ଧିଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏପରିକି ବାପୁ ଓ କସ୍ତୁରବାଙ୍କୁ ପାଛୋଟି ନେବାକୁ ଗଜପତିଙ୍କ ହାତୀ, ଘୋଡ଼ା, ଛତା ଓ ଛତ୍ରୀର ଆୟୋଜନ କରାଯାଇଥିବା କହିଛନ୍ତି ଐତିହାସିକ ଓ ଗାନ୍ଧୀବାଦୀ।

ଶ୍ରୀକ୍ଷେତ୍ର ଧାମରେ ତିନିଦିନ ଅବସ୍ଥାନ କାଳରେ ଦ୍ୱିତୀୟ ଦିନ ଅର୍ଥାତ୍ ୨୭ ତାରିଖରେ ମହାତ୍ମା ଗାନ୍ଧି ଶ୍ରୀମନ୍ଦିର ଯାଇଥିଲେ। ତେଣୁ ଗାନ୍ଧୀ କେବେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ନଥିବା ନେଇ ଯେଉଁ କୁହାଯାଏ ତାହା ଭ୍ରମାତ୍ମକ ବୋଲି କହିଛନ୍ତି ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ପରିଡା। ଏପରିକି ରାଜ୍ୟରେ ଏବର୍ଷ ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତର ଶତବାର୍ଷିକୀ ପାଳନ ହେଉଥିଲା ବେଳେ ପୁରୀରେ ବି ପୁରୀ ଗସ୍ତର ଶତବାର୍ଷିକୀ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା କହିଛନ୍ତି ସର୍ବୋଦୟ ମେଳା କମିଟିର ସଭାପତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।