ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ କୋଭିଡ ଟିକା

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ କୋଭିଡ୍‌ ଟିକା। ଆଜି ଲୋକନାଥ ରୋଡ୍‌ ପ୍ରତିହାରୀ ନିଯୋଗର ବୈଠକ ଗୃହରେ ସେବାୟତଙ୍କୁ ଦିଆଯିବ ଟିକା।  ଦିନ ୧୦ଟାରେ ଏହି ଟିକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳଙ୍କ ଉପସ୍ଥିତରେ ଆରମ୍ଭ କରାଯିବ।

ପ୍ରତିଦିନ ପ୍ରାୟ ୧୦୦ଜଣଙ୍କୁ ଟିକା ପ୍ରଦାନ କରାଯିବାର ଯୋଜନା ରହିଛି।  ୬୦ ବର୍ଷରୁ ଊର୍ଦ୍ଧ୍ୱ ସେବାୟତ ଓ ଯେଉଁମାନଙ୍କର ଡାଇବେଟିସ, ଉଚ୍ଚ ରକ୍ତଚାପ, କ୍ୟାନସର ଆଦି ଥିବା ସହ ବୟସ ୪୫ରୁ ଅଧିକ ସେମାନେ ମଧ୍ୟ ରୋଗ ସମ୍ବନ୍ଧରେ ସୂଚନା ଦେଇ ଟିକା ନେଇପାରିବେ।

ପ୍ରତିଦିନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଏହି ଟିକାକରଣ କର୍ଯ୍ୟକ୍ରମ ଚାଲିବ।  କେବଳ ପୁରୁଷ ସେବାୟତଙ୍କୁ ଏହି ସୁବିଧା ଉପଲବ୍ଧ କରାଯିବ।

ସୂଚନାଯୋଗ୍ୟ, ଦୁଇ ଦିନ  କରୋନା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଥିଲେ ଯେ ରାଜ୍ୟରେ ପ୍ରତିଦିନ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଲାଗି ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଖରା ବଢୁଥିବାରୁ ଟିକାଦାନ କେନ୍ଦ୍ରକୁ ବୃଦ୍ଧି କରାଯାଇଛି। ଏବେ ରାଜ୍ୟର ୭୦୦ଟି କେନ୍ଦ୍ରରେ ଟିକାଦାନ କରାଯାଉଛି। ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକାଦାନ ଟାର୍ଗେଟ୍‌ ପାଖାପାଖି ପହଞ୍ଚି ଯାଇଛି। ୯୧% ସ୍ୱାସ୍ଥ୍ୟ କର୍ମୀ ଓ ୮୦% ସମ୍ମୁଖ ଯୋଦ୍ଧା ଟିକା ନେଇ ସାରିଲେଣି। ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ସବୁଦିନ ଟିକା ଦିଆଯିବ ବୋଲି ସେ କହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।