Advertisment

IAS Reshuffle: ପରଫରମାନ୍ସ ନା ପଲିଟିକାଲ ବଦଳି?

୧୮ ମାସର ସରକାରରେ ବାବୁମାନଙ୍କର ହେଲାଣି ୧୩ ଥର ବଦଳି। ୩ ଥର ବଡ଼ ବଦଳି ଓ ୧୦ ଥର ଛୋଟ ବଦଳି ହୋଇଛି। ଏପରିକି ଗୋଟିଏ ସପ୍ତାହରେ ଦୁଇ ଦୁଇ ଥର ବଦଳି ହୋଇଛି। ଏଥିପାଇଁ ବିଭାଗ ଗୁଡିକ ୬୦ ପ୍ରତିଶତ ବଜେଟ ଖର୍ଚ୍ଚ କରି ପାରୁନାହାଁନ୍ତି କି ?

author-image
OR Desk
IAS

ବାବୁମାନଙ୍କର ହେଉଛି ବାରମ୍ବାର ବଦଳି। ନୂଆ ସରକାରଙ୍କ ୧୮ ମାସ ମଧ୍ୟରେ ଆଇଏଏସ୍ ସ୍ତରରେ ହୋଇଛି ୩ ଥର ବଡ଼ ଧରଣର ଆଉ ୧୦ ଥର ଛୋଟ ବଦଳି। ସେହିପରି ଜଣେ ଜଣେ ଆଇଏଏସ୍ ଅଫିସରଙ୍କ ହାତରେ ରହିଛି ୩ରୁ ୪ ବିଭାଗ। ତେଣୁ ଏହା ପରଫରମାନ୍ସ ନା ପଲିଟିକାଲ ବଦଳି, ସେ ନେଇ ଉଠିଛି ପ୍ରଶ୍ନ। 

Advertisment

ନଜର ପକାନ୍ତୁ ନୂଆ ସରକାର ଆସିବା ପରେ କେତେ ଥର ଆଉ କାହିଁକି ହୋଇଛି ଆଇଏଏସ ଅଦଳବଦଳ। ପ୍ରଥମେ ସରକାର ଆସିବା ପରେ ଜୁଲାଇ ୨୦୨୪ରେ ବଡ଼ ଧରଣର ଅଦଳବଦଳ ହୋଇଥିଲା। ଯେଉଁଥିରେ ୨୦ ଜଣ ଅଧିକାରୀଙ୍କ ନାଁ ରହିଥିଲା। ସେହିବର୍ଷ ଅଗଷ୍ଟ ଓ ନଭେମ୍ବରରେ ପୁଣି ୩ଟା ଅଦଳ ବଦଳ କରିଥିଲେ ରାଜ୍ୟ ସରକାର। ପୁଣି ୨୦୨୫ ଜୁଲାଇ ମାସରେ ଏକା ବେଳକେ ୪୯ ଅଧିକାରୀଙ୍କ ହୋଇଥିଲା ବଦଳି । ଆଉ ଏଥିରେ ଅଧିକାଂଶ ଜିଲ୍ଲାପାଳଙ୍କ ଅଦଳବଦଳ ହୋଇଥିଲା ।

ସେହିପରି ଅକ୍ଟୋବର ୨୦୨୫ରେ ୧୫ ଜଣ ଅଧିକାରୀ ଟ୍ରାନ୍ସଫର ହୋଇଥିଲେ । ଆଉ ନୂଆ ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେବା ପରେ ମଧ୍ୟ ବଡ ଧରଣର ଅଦଳ ବଦଳ କରି ନିଜ ଟିମ୍ ଗଠନ କରିଥିଲେ ଅନୁ ଗର୍ଗ। ତା’ବାଦ୍ ବି ଏଇ ଗୋଟିଏ ସପ୍ତାହରେ ବଦଳି ହେଲାଣି ୨ ଥର। ଯାହାକୁ ନେଇ ଉଠିଛି ପ୍ରଶ୍ନ । ଆର୍ଥିକ ବର୍ଷ ସରିବାକୁ ବସିଲାଣି, ଏଯାଏଁ ଅଧିକାଂଶ ବିଭାଗ ୬୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରି ନାହାଁନ୍ତି। ଏଠି ପ୍ରଶ୍ନ ବାରମ୍ବାର ବଦଳି ହେଲେ ବିଭାଗ ଗୁଡିକର ପ୍ରଦର୍ଶନ ଉପରେ ପ୍ରଭାବ ପଡୁନି କି? 

Advertisment

ରାଜ୍ୟ ପ୍ରଶାସନିକ କଳରେ ଆଉ ଏକ ବ୍ୟତିକ୍ରମ ହେଉଛି ଜଣେ ଜଣେ ଆଇଏଏସ ବାବୁଙ୍କ ପାଖରେ ରହିଛି ୩ରୁ ୪ ବିଭାଗ। ବରିଷ୍ଠ ଆଇଏଏସ୍ ଅଫିସର ହେମନ୍ତ ଶର୍ମା ସର୍ବାଧିକ ବିଭାଗର ମୁଖ୍ୟ। ଗୁରୁତ୍ୱପୂର୍ଣ୍ଣ ଗୃହ, ଶିଳ୍ପ, ସୂଚନା ଓ ଲୋକସଂପର୍କ ଭଳି ବିଭାଗ ସହ ଇପିକଲର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ସେହିଭଳି ଉନ୍ନୟନ କମିଶନର ସହ ଯୋଜନା, ସଂଯୋଜନା ଏବଂ ଖଣି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଅଛନ୍ତି ଦେଓ ରଞ୍ଜନ ସିଂ। ସୁରେନ୍ଦ୍ର କୁମାର, ସଞ୍ଜୟ ସିଂ, ଅରବିନ୍ଦ ପାଢୀ, ଉଷା ପାଢୀ, ରାଜେଶ ପ୍ରଭାକର ପାଟିଲ, ବଲୱନ୍ତ ସିଂ ଭଳି ଅଧିକାରୀଙ୍କ ପାଖରେ ଦୁଇଟି ଲେଖାଏଁ ବିଭାଗର ଦାୟିତ୍ବ ରହିଛି। ରାଜ୍ୟରେ ଆଇଏଏସ ଅଧିକାରୀଙ୍କ ଅଭାବ ଯୋଗୁଁ ସମସ୍ୟା ଥିବା କଥା ସ୍ୱୀକାର କରିବା ସହ ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ।

ଡିସେମ୍ବରର ବିଧାନସଭା ତଥ୍ୟ ଅନୁଯାୟୀ ରାଜ୍ୟରେ ୨୪୮ ଆଇଏଏସ୍ ପଦବୀ ଥିବା ବେଳେ ୪୬ ପଦବୀ ଖାଲି ପଡିଛି। ୧୭୫ ଅଧିକାରୀ ରାଜ୍ୟରେ କାର୍ଯ୍ୟରତ ଥିବା ବେଳେ ୨୭ ଜଣ ଏବେ କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି। ଏହା ବାଦ୍ ନିକଟରେ ମନୋଜ ଆହୁଜା ଏବଂ ଜି ମାଥିଭାତନନଙ୍କ କାର୍ଯ୍ୟକାଳ ସରିଯାଇଛି। ପ୍ରଶାସନିକ କଳରେ ଏହି ଅଭାବକୁ ରାଜ୍ୟ ସରକାର କେମିତି ମ୍ୟାନେଜ କରୁଛନ୍ତି ତାହା ଦେଖିବାର କଥା।

ଭୁବନେଶ୍ୱରରୁ ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ