ରଘୁନାଥ ମହାପାତ୍ର ଓ ଅମର ଶତପଥୀଙ୍କୁ ‘ଭୂମିରତ୍ନ’ ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସ୍ତା ଫାଉଣ୍ଡେସନ୍‌ ପକ୍ଷରୁ ଚତୁର୍ଥ ଭୂମିରତ୍ନ ଅନ୍ତଃରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ ସମାରୋହ ଦିଲ୍ଲୀ କନଷ୍ଟିଚ୍ୟୁସନ୍ କ୍ଲବରେ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମବିଭୂଷଣ ପୁରସ୍କାର ପ୍ରାପ୍ତ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ବିଜେଡିର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ଭାରତୀୟ ସଂସ୍କୃତିର ମହାନତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଶିଷ୍ଟ ବକ୍ତା ଭାବେ ଫାଉଣ୍ଡେସନର ମୁଖ୍ୟ ଡଃ ଷ୍ଟାଲିନ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ଡଃ ଭବାନୀ ଦୀକ୍ଷିତ ଯୋଗଦେଇ ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ।

ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୦ ପାଇଁ ମୋଟ୍‌ ୫ଜଣ ବ୍ୟକ୍ତିତ୍ୱଙ୍କୁ ‘ଭୂମିରତ୍ନ’ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ମାଲେସିଆର ଉଦ୍ୟୋଗପତି ଡଃ ବିନୋଦଶେଖର, ସମାଜସେବା ପାଇଁ କାନାଡ଼ାର ସିଦ୍ଧାର୍ଥ ଚୌଧୁରୀ, ଭାରତର ପଞ୍ଚସିଲ୍‌ ଜୈନ୍ୟ, ଲୋକସେବା ପାଇଁ ଓଡ଼ିଶାର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ଓ ଶିକ୍ଷା ପାଇଁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ଡଃ ତ୍ରିଭୁବନ ମହାପାତ୍ର।

ସେହିପରି ୨୦୨୧ ପାଇଁ ଏହି ସମ୍ମାନ ପାଇଛନ୍ତି ୬ ଜଣ। ସେମାନେ ହେଲେ ଉଦ୍ୟୋଗକ୍ଷେତ୍ର ପାଇଁ ନୋଇଡାର ପ୍ରମୁଖ ସୂଚନା ପ୍ରଯୁକ୍ତି ସଂସ୍ଥା ଭେଲୋସିସ, କାନାଡ଼ାର ସାଂସଦ ତଥା ପୂର୍ବତନ ରକ୍ଷା ଓ ରାଜସ୍ୱ ମନ୍ତ୍ରୀ କେରି ଲୀନ ଓ ଆର୍ୟଲ୍ୟାଣ୍ଡର ସାଂସଦ ଫର୍ଗୁସ ଓଡ, ଆମେରିକାର ଡାଭିଡ ଫୋଗାଟି, ଭାରତର ସାଂସଦ ଡଃ ରଘୁନାଥ ମହାପାତ୍ର ଓ ଶିକ୍ଷା ପାଇଁ କଲିକତାର ବିଶିଷ୍ଟ ଶିକ୍ଷା ସଂସ୍ଥା ଜେ.ଆଇ.ଏସ. ଗ୍ରୁପ। ଭୂମିରତ୍ନ ଅନ୍ତରାଷ୍ଟ୍ରୀୟ ସମ୍ମାନର ଜୁରୀ ମୁଖ୍ୟ ତଥା ଆର୍ୟଲ୍ୟାଣ୍ଡର ବରିଷ୍ଠ ଚିକିତ୍ସକ ଡାକ୍ତର ଦିଲୀପ ମହାପାତ୍ର ପୁରସ୍କୃତଙ୍କ ନାମ ଘୋଷଣା କରିଥିଲେ।

ପ୍ରକାଶ ଥାଉକି, ଭାରତୀୟ ସଂସ୍କୃତି, ସଭ୍ୟତାର ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଚାର ପ୍ରସାର ପାଇଁ ଆସ୍ତା ଫାଉଣ୍ଡେସନ କାମ କରିଆସୁଛି। ସଂସ୍ଥାର ଏପରି ମହାନ କାର୍ଯ୍ୟକୁ ଉପସ୍ଥିତ ଅତିଥି ପାଇଁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଏହି ମହାନ କାର୍ଯ୍ୟକୁ ଆହୁରି ବ୍ୟାପକ କରାଯିବ ବୋଲି ଫାଉଣ୍ଡେସନର ସମ୍ପାଦକ ଇଂ ବୁଲେନ ମିଶ୍ର ଓ ଟ୍ରଷ୍ଟି ଉମାକାନ୍ତ ଶତପଥୀ କହିଛନ୍ତି। ଆସ୍ତା ପକ୍ଷରୁ ବିଭିନ୍ନ ଦେଶରେ ଅଧିକ ସଂସ୍କୃତି କେନ୍ଦ୍ର ଖୋଲିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ତଥା ଅନ୍ୟ ରାଜ୍ୟରେ ପ୍ରତିଷ୍ଠିତ ବହୁ ବ୍ୟକ୍ତିବିଶେଷଙ୍କୁ ସମାଜସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ବୈଜ୍ଞାନିକ ତଥା ବରିଷ୍ଠ ସମାଜସେବୀ ଉମାକାନ୍ତ ଜେନା, ଶ୍ରୀ ଅମିତାଭ ଦାଶ, ଶ୍ରୀମତୀ ଅନିତା ଶତପଥି, ଶ୍ରୀ ଦେବେନ୍ଦ୍ର ନାଥ ରାଉତ, ପ୍ରବିସି ତ୍ରିପାଠୀ, ଗୌତମ ଦାସ, ଅକ୍ଷୟ ସାମଲ, ତରୁଣ ଜୈନ, ଜୟନ୍ତ ମିଶ୍ର। ଏହି ଅବସରରେ ନୃତ୍ୟଗୁରୁ ଶିମରନ ଜମାନଙ୍କ ଛାତ୍ରଛାତ୍ରୀ ତଥା କାଞ୍ଚନଲତା, ମାଷ୍ଟର କିର୍ତେଶ ଦାସ ଓ ଦିବିଏସ ଦାସ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।