ପରିବେଶ ଓ ଟ୍ରାଫିକ୍ ସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଜଧାନୀରେ ପାଳିତ ହେଉଛି ରାହାଗିରି ଦିବସ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀରେ ଆଜି ରାହାଗିରି ଦିବସ ପାଳିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୋଲିସ କମିଶନର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଆକାଶ ଦାସ ନାୟକ, ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।

ମାଷ୍ଟର କ୍ୟାଣ୍ଟିନ୍ ଛକରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ହୋଇଥିଲା। ସକାଳ ୬ଟା ୩୦ରୁ ପୂର୍ବାହ୍ନ ସାଢେ଼ ୧୦ଟା ଯାଏଁ କାର୍ଯ୍ୟକ୍ରମ ଚାଲିଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ପରିବେଶ ଓ ଟ୍ରାଫିକ ସଚେତନତା ସୃଷ୍ଟି କରିବା। ବିଏମସି ପକ୍ଷରୁ ପ୍ରତି ରବିବାର ଏହି କାର୍ଯ୍ୟକ୍ରମ କରାଯିବ।

ରାହାଗିରି ଦିବସ ଯୋଗୁ ମାଷ୍ଟର କ୍ୟାଣ୍ଟିନରୁ ରାମମନ୍ଦିର ଛକ ଯାଏଁ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। କାର୍ଯ୍ୟକ୍ରମରେ ସାଇକେଲିଂ, ୱାକିଂ, ଦୌଡ଼, ଯୋଗ, ସ୍ୱାସ୍ଥ୍ୟଶିବିର ଖୋଲାଯିବା ସହ ମ୍ୟୁଜିକ୍ ବ୍ୟାଣ୍ଡ୍ ଓ ପେଣ୍ଟିଂର ବ୍ୟବସ୍ଥା କରାଯାଇଥିଲା।