ବନ୍ଧା ହେଲେ ବନ୍ଧୁକ କାରିଗର, ଘରେ ଚାଲିଥିଲା କାରଖାନା

ବୌଦ୍ଧ(ଦୀପକ ଅଦାର): ଘରେ ବସିଥିଲା କାରଖାନା। ତିଅରି ହେଉଥିଲା ଦେଶୀ ବନ୍ଧୁକ । ଗତରାତିରେ ପୁଲିସ୍‌ ଅତର୍କିତ ଭାବେ ଚଢ଼ାଉ କରି ଏପରି କାରଖାନା ଠାବ କରିବା ସହ ବହୁ ବନ୍ଧୁକ ଜବତ କରିଛି। ଏଥିସହ ବନ୍ଧୁକ କାରିଗର ସିଲାଇପଡ଼ା ଗ୍ରାମର ଶେଷଦେବ ବିନ୍ଧାଣି  ବନ୍ଧା ହୋଇଛନ୍ତି।

ଏପରି ଏକ ବନ୍ଧୁକ କାରଖାନା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ ଶଗଡା ଅନ୍ତର୍ଗତ ସିଲାଇପଡ଼ା ଗ୍ରାମରେ ଠାବ ହୋଇଛି। ଏଥିସହ ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ଏହା ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଛନକା ପଶି ଯାଇଛି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ, ଗତକାଲି ବିଳମ୍ବିତ ରାତିରେ ମନମୁଣ୍ଡା ପୁଲିସ୍  ସିଲାଇପଡ଼ା ଗ୍ରାମରେ  ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ  ଏକ ଘରୁ ଜଣେ ବନ୍ଧୁକ କାରିଗର ଶେଷଦେବ ବିନ୍ଧାଣିଙ୍କୁ ଗିରଫ କରାଯିବା ସହ  ୨ଟି ପିସ୍ତଲ୍ ଏବଂ ୪ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଚଢ଼ାଉ ସମୟରେ ବନ୍ଧୁକ ତିଆରି କରିବାରେ ବ୍ୟବହୃତ ବହୁ ସାମଗ୍ରୀ ମଧ୍ୟ ଜବତ ହୋଇଛି।

ମୁଖ୍ୟତଃ କାଠ ଓ ଲୁହାକୁ ବ୍ୟବହାର କରି ଦେଶୀ ବନ୍ଧୁକ ତିଆରି କରାଯାଉଥିଲା। ହେଲେ ଏହି ବନ୍ଧୁକ ତିଆରି ପରେ କାହାକୁ ବିକ୍ରି ହେଉଥିଲା ? କିଏ ଏହାପଛରେ ରହିଛି ସେ ସବୁ ଦିଗରେ ଏବେ ଖୋଲତାଡ଼ କରୁଛି ପୁଲିସ୍‌। ତେଣୁ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି ଆଲୋଚନା ହେଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।