ରାତିରେ ପ୍ରବଳ ବର୍ଷିବ: ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାତିରେ ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ବି ମାରିବ। ଏଥିପାଇଁ ୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଶୀଘ୍ର ଘରକୁ ଫେରିବା ପାଇଁ ପରାମର୍ଶ ଦିଆଯାଇଛି।

କାଳବୈଶାଖୀ ପ୍ରଭାବରେ ଆଜି ରାତିରେ କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ମାରିବା ସହିତ ପବନ ମଧ୍ୟ ବୋହିବ। ତେଣୁ ରାତି ସାଢ଼େ ୧୧ଟା ପୂର୍ବରୁ ଘରକୁ ଫେରିଆସିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

କିଛି ଦିନ ତଳେ ମୌସୁମୀ ଓଡ଼ିଶା ଛୁଇଁଥିଲା। ଯାହାଫଳରେ ରଜରେ ବର୍ଷା ହେବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ପ୍ରଥମ ଓ ଦ୍ୱିତୀୟ ରଜରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା। ମୌସୁମୀ ସତ୍ତ୍ୱେ ରାଜ୍ୟରେ ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଡେଇଁଲା। ଟିଟିଲାଗଡ଼ରେ ସର୍ବାଧିକ ୪୨ ଡିଗ୍ରୀ ତାପମାତ୍ରା ରହିଥିଲା। ଅନୁଗୋଳ ଓ ଭବାନୀପାଟଣାର ତାପମାତ୍ରା ୪୦.୭ ଡିଗ୍ରୀ, ବାରିପଦାରେ ୪୦.୬, ବଲାଙ୍ଗିରରେ ୪୦.୩, ଚାନ୍ଦବାଲିରେ ୪୦.୨ ଓ କଟକରେ ୪୦.୧ ଡିଗ୍ରୀ ତାପମାତ୍ରା ରହିଛି।