୫ରୁ ପ୍ରବଳ ଛେଚିବ, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ବଳ ହୋଇଯାଇଥିବା ମୌସମୀ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ଏହାଫଳରେ ଅଗଷ୍ଟ ୫ ତାରିଖ (ଶୁକ୍ରବାର)ଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା ହିମାଳୟ ପାଦଦେଶରୁ ସ୍ୱାଭାବିକ ଅବସ୍ଥାନକୁ ଫେରୁଛି। ଏହାଫଳରେ ୫ ଓ ୬ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଏହା ସହ ୫ ତାରିଖରେ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୬ ତାରିଖରେ ୫ଟି ଜିଲ୍ଲାରେ ଅତିପ୍ରବଳ ଓ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆଗକୁ ବର୍ଷା ହେବାର ସମ୍ଭାବନା ଥିବାରୁ ଚାଷୀଭାଇମାନେ ଅନ୍ତଃଚାଷ, ସାର ଓ କୀଟନାଶକ, ତୃଣନାଶକ ପ୍ରୟୋଗ, ଜଳସେଚନ ଆଦି କାର୍ଯ୍ୟ ଗୁରୁବାରଠୁ ସ୍ଥଗିତ ରଖିବାକୁ ଅନୁରୋଧ କରାଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ୧୪ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି। କଟକରେ ସର୍ବାଧିକ ୩୬.୨ ଡିଗ୍ରୀ, ବୌଦ୍ଧ ୩୬ ଡିଗ୍ରୀ, ଚାନ୍ଦବାଲି ୩୫.୭ ଡିଗ୍ରୀ ଓ  ଭୁବନେଶ୍ୱରରେ ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି। ଏନେଇ  ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।