ରାଜ୍ୟର ୧୧ଟି ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ଇ-ରିସୋର୍ସ

ଭୁବନେଶ୍ୱର: ରାଜ୍ୟର ୧୧ଟି ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ଇ-ରିସୋର୍ସ । ସବୁକିଛି ହେବ ଡିଜିଟାଲ୍ । ଉତ୍କଳ ବିଶ୍ୱବିଦ୍ୟାଳୟର ୭୩ତମ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ଏଥିପାଇଁ ୧ କୋଟି ୬୫ ଲକ୍ଷ ଟଙ୍କା ବଜେଟ୍ ରଖାଯାଇଥିବା ବେଳେ ୧ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଚଣ୍ଡିଖୋଲରେ ଜାଗା ଚିହ୍ନଟ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଇ-ଲାଇବ୍ରେରୀ, ଏକାଡେମିକ ବ୍ଲକ୍, ଲାଙ୍ଗୁଏଜ୍ ବ୍ଲକ୍ ଓ କନଭେନ୍ସନ ହଲର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମନ୍ତ୍ରୀ । ୱାଇଫ।ଇ କ୍ୟାମ୍ପସ ଲାଗି ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ଏଥିରେ ବିଳମ୍ୱ ଘଟିଛି। ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଗବେଷଣା ଓ ତାଲିମ୍ କ୍ଷେତ୍ରରେ ଇ-ରିସୋର୍ସ ଛାତ୍ରଛାତ୍ରୀଙ୍କ ଲାଗି ସହାୟକ ହେବ ବୋଲି ଆଶା ରଖିଛି ବିଭାଗ । ଇ-ରିସୋର୍ସ ମାଧ୍ୟମରେ ଥେସିସ୍, ଜର୍ଣ୍ଣାଲ୍, ଇ-ବୁକ୍ସ, ମାଗାଜିନ୍ ଓ ନ୍ୟୁଜପେପର ଉପଲବ୍ଧ ହେବ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଟପ୍ପର ଛାତ୍ରଛାତ୍ରୀଙ୍କୁ ମେଡାଲ ଦିଆଯାଇଛି । ପୂର୍ବତନ ପୋଲିସ୍ ଡିଜି ସଞ୍ଜୀବ ମାରିକଙ୍କୁ ଏଲ୍ଏଲବି ଟପ୍ପର ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମେଡାଲ୍ ଦିଆଯାଇଛି।