ରାଜ୍ୟରେ ୩ଟି ସାଇବର ଥାନା ପ୍ରତିଷ୍ଠା ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି: ପୋଲିସ ଡିଜି କେ.ବି. ସିଂ

କଟକ: ରାଜ୍ୟରେ ସାଇବର ଅପରାଧର ମୁକାବିଲା କରିବା ନେଇ ପୋଲିସ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ତାଲିମ ଶିବିର କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଡିଜି କନୱର ବ୍ରଜେଶ ସିଂ ଏହାକୁ ଉଦଘାଟନ କରିଥିଲେ। ରାଜ୍ୟରେ ୩ଟି ସାଇବର ଥାନା ପ୍ରତିଷ୍ଠା ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ପୋଲିସ ଡିଜି ସିଂ କହିଛନ୍ତି। ୨୦୧୬ ମାର୍ଚ୍ଚ ସୁଦ୍ଧା ସାଇବର ଫୋରେନସିକ ଡିଭିଜନକୁ କାର୍ଯ୍ୟକ୍ଷମ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ବିଜୟ କୁମାର ଶର୍ମା କହିଛନ୍ତି। ସାଇବର ଅପରାଧ ସମ୍ପର୍କିତ ମାମଲାର ତଦନ୍ତ ପାଇଁ ରାଜ୍ୟର ପ୍ରତିଟି ଥାନାକୁ ପ୍ରସ୍ତୁତ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ସୂଚନା ଦେଇଛନ୍ତି। ଉଦଘାଟନୀ ଉତ୍ସବରେ ସାଇବର ସେଲର ଅନେକ ବରିଷ୍ଠ ଅଧିକାରୀ ଯୋଗଦେଇଛନ୍ତି। ଶିବିରରେ ଫେସବୁକ ସମ୍ୱନ୍ଧିତ ଅପରାଧର ତଦନ୍ତ କରିବା, ଅନଲାଇନ, ଲଟେରୀ, ଫୋନ ଯୋଗେ କରାଯାଉଥିବା ଠକେଇ, ଅନଲାଇନରେ ଚାକିରି ଦେବା ଆଳରେ ହେଉଥିବା ଠକେଇ, ଡିଜିଟାଲ ପ୍ରମାଣ ସଂଗ୍ରହ ଓ ଜବତ କରିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଉଛି।