ଦୁଇବର୍ଷ ପୂର୍ବ ରାଜ୍ୟ ସଭାପତି ହେବା ଲାଗି ପ୍ରତିଶ୍ରୁତି ମିଳିଥିଲା: ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର: ଆସନ୍ତାକାଲି ବିଜେପି ରାଜ୍ୟ ସଭାପତି ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ହେବ। ଏକରୁ ଅଧିକ ନାମାଙ୍କନପତ୍ର ଆସିଲେ ୧୫ ତାରିଖରେ ନିର୍ବାଚନ ହେବ। ନିର୍ବାଚନକୁ ଏଡାଇ ସହମତି ଭତ୍ତିରେ ସଭାପତି ଚୟନ ଲାଗି ଦଳ ପକ୍ଷରୁ ଚେଷ୍ଟା ଚାଲିଛି। ସହମତି ଭିତ୍ତିରେ ବସନ୍ତ ପଣ୍ଡାଙ୍କୁ ମଙ୍ଗୁଆଳ କରିବା ପାଇଁ ଆପାତତଃ ସ୍ଥିର ହୋଇଛି। ହେଲେ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି। ପ୍ରତାପ ଷଡ଼ଙ୍ଗୀଙ୍କୁ ଏଥର ସଭାପତି କରାଯିବାକୁ ନେଇ ପ୍ରତିଶ୍ରୁତି ମିଳିଥିଲା ବୋଲି ସେ ନିଜେ କହିଛନ୍ତି। ଅନ୍ୟପକ୍ଷେ କିଛି କୋର୍ କମିଟି ସଦସ୍ୟ ମୁଖ୍ୟାଳୟରେ ନ ଥିବାରୁ କିଭିଳି ସହମତି ହେବ ତାକୁ ନେଇ ଉଠିଛି ଏବେ ପ୍ରଶ୍ନ ଉଠୁଛି।

ରାଜ୍ୟ ବିଜେପି ଉପ ସଭାପତି ପ୍ରତାପ ଷଡଙ୍ଗୀ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୁଇବର୍ଷ ପୂର୍ବେ ମୋତେ ଡାକି ଏ ବିଷୟରେ କଥା ହୋଇଥିଲେ। ଏବେ ମୋ ସହିତ କିଛି ଚର୍ଚ୍ଚା କରିନାହାନ୍ତି। ମୁଁ କୋର୍ କମିଟିର ସଦସ୍ୟ ନାହିଁ। ତେଣୁ କୋର୍ କମିଟି ବୈଠକ ବସିଛି କି ନାହିଁ ସେ ବିଷୟରେ କିଛି କହି ପାରିବି ନାହିଁ ବୋଲି ସେ କହିଛନ୍ତି।

ଏବେ ଚର୍ଚ୍ଚା ହେଉଛି ପ୍ରତାପଙ୍କୁ ପଛରେ ପକାଇ ବସନ୍ତଙ୍କ ମୁଣ୍ଡରେ ସଭାପତି ମୁକୁଟ ପିନ୍ଧାଇବାକୁ ଦଳ ସ୍ଥିର କରିଛି। ଏଥିପାଇଁ ସହମତି ହୋଇଥିବା କୁହାଯାଉଛି। କିନ୍ତୁ ଅସଲରେ ସହମତି ପାଇଁ ଏପର୍ଯ୍ୟନ୍ତ କୋର୍ କମିଟିର ବୈଠକ ବସିନାହିଁ। କୋର୍ କମିଟିର ସଦସ୍ୟ ଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବେ ଅଷ୍ଟ୍ରେଲିଆରେ। ସେହିପରି ଅନ୍ୟ ସଦସ୍ୟଙ୍କ ମଧ୍ୟରୁ ବିଜୟ ମହାପାତ୍ର ଦିଲ୍ଲୀରେ ଥିବା ବେଳେ ଦିଲୀପ ରାୟ ବି ମୁଖ୍ୟାଳୟରେ ନାହାନ୍ତି। କୋର୍ କମିଟିର ବୈଠକ ନ ବସି କିପରି ସହମତି ହେଲା ତାକୁ ନେଇ ବି ଟିମର ସଦସ୍ୟ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ କ୍ୟାମେରା ଆଗରେ କିଛି କହୁ ନ ଥିଲେ ବି ସଭାପତି ଚୟନରେ ଅସନ୍ତୋଷ ପ୍ରକାଶ କରିଛନ୍ତି କିଛି ସଦସ୍ୟ।

ଏ ନେଇ ରାଜ୍ୟ ପ୍ରଭାରୀ ଅରୁଣ ସିଂ କହିଛନ୍ତି, ସଭାପତି ଚୟନ ଲାଗି କୋର କମିଟିର ସବୁ ସଦସ୍ୟଙ୍କ ମତାମତ ନିଆଯାଇଥାଏ। ଏଥର ବି ନିଆଯାଇଛି। ଏହାସହ ଅନ୍ୟ ସଦସ୍ୟମାନଙ୍କ ମତାମତ ମଧ୍ୟ ନିଆଯାଇଥାଏ।

ବିଜେପି ସଭାପତି ନିର୍ବାଚନ ପାଇଁ ପୂର୍ବରୁ ରାଜ୍ୟ ନେତାମାନେ ଦିଲ୍ଲୀରେ ଡେରା ପକାଉଥିଲେ। ଏଥର କିନ୍ତୁ ଓଲଟା ଦେଖିବାକୁ ମିଳୁଛି। ଦିଲ୍ଲୀର ନେତା ଏଠି ଡେରା ପକାଉଛନ୍ତି। ସଭାପତି ଚୟନରେ ସହମତି ପାଇଁ ଗୋଟିଏ ମାସ ଧରି ଦଳ ଭିତରେ ଚାଲିଛି କସରତ। ତେବେ ଶେଷ ମୁହୂର୍ତ୍ତରେ କିଛି କୋର୍ କମିଟି ସଦସ୍ୟଙ୍କ ଚାପା ଅସନ୍ତୋଷ ନିର୍ବାଚନ ପ୍ରକ୍ରିୟାକୁ ଗୋଳିଆ କରିଦେଇଛି।