ରାଜ୍ୟସଭା ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ନରେନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ନରେନ୍ଦ୍ର ସ୍ୱାଇଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଏହି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ବେଳେ ୧୦ଜଣ ପ୍ରସ୍ତାବକ ଓ ଅନ୍ୟ ବରିଷ୍ଠ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ପାଇଁ ହେଉଥିବା ଉପ-ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିନ ଥିଲା। ଆସନ୍ତାକାଲି ପେପର୍ ଭେରିଫିକେସନ୍ ହେବ। ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଡିସେମ୍ୱର ୭ ତାରିଖ ରହିଛି। ଶୁକ୍ରବାର ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଦଳର ସାଧାରଣ ସମ୍ପାଦକ ନରେନ୍ଦ୍ରଙ୍କ ନାମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଦେବ ନାହିଁ ବୋଲି କହି ସାରିଛି। ବିଧାନସଭାରେ ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ନରେନ୍ଦ୍ର ସ୍ୱାଇଁ ଜିତିବା ଏକପ୍ରକାର ନିଶ୍ଚିତ।

ଜୁଲାଇ ୨୫ରେ କଳ୍ପତରୁ ଦାସଙ୍କ ପରଲୋକ ପରେ ଓଡିଶାରୁ ଖାଲି ପଡିଥିବା ଏହି ଏକମାତ୍ର ଆସନ ପାଇଁ ଉପ-ନିର୍ବାଚନ ହେଉଛି।