ଆକାଶକୁ ମୁହଁ କରିଛି କଦଳୀ କାନ୍ଧି

କୋଇଡା(ସୁନୀଲ ପଣ୍ଡା): ଆପଣମାନେ ଅନେକ ପ୍ରକାରର କଦଳୀ ଗଛ ଦେଖିଥିବେ। ବିଭିନ୍ନ ରଙ୍ଗର କଦଳୀ କାନ୍ଧି ବିଷୟରେ ଜାଣିଥିବେ। କିନ୍ତୁ କେବେ ଆପଣ କଦଳୀ ଗଛରେ ଓଲଟା କାନ୍ଧି ଫଳିବାର ଦେଖିଛନ୍ତି କି? ସାଧାରଣତଃ ଗଛରେ କଦଳୀ କାନ୍ଧି ତଳ ଆଡ଼କୁ ମୁହଁ କରି ଝୁଲି ଥାଏ। କଦଳୀ ଅଧା ପାକଳ ହୋଇଗଲେ ଚାଖଣ୍ଡେ ଛାଡ଼ି ଓହଳିଥିବା ଭଣ୍ଡା ଭାଙ୍ଗି ଦିଆଯାଏ। ସେହିପରି କଦଳୀ ସଂପୂର୍ଣ୍ଣ ପାକଳ ହୋଇଗଲେ କାନ୍ଧିକୁ ବି ମୂଳରୁ କାଟି ଆଣି ଘରେ ରଖାଯାଏ।

ହେଲେ ଏମିତି ଏକ କଦଳୀ ଗଛ ଅଛି ଯେଉଁଥିରେ ଓଲଟା ଭାବେ ଫୁଲ ବି ହୋଇଛି ଓ ଭଲ କାନ୍ଧି ବି ପଡ଼ିଛି। ଏହି ଫୁଲ ଓ କଦଳୀ କାନ୍ଧି ତଳ ଆଡ଼କୁ ମୁହଁ କରିବା ପରିବର୍ତ୍ତେ ସୂର୍ଯ୍ୟ ଆଡ଼କୁ ଅର୍ଥାତ ଆକାଶକୁ ମୁହଁ କରିଛନ୍ତି। ଏପରି ଏକ ଭିନ୍ନ ଧରଣର କଦଳୀ ଗଛକୁ ନେଇ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ତୋଡ଼ା ଘାଗୀ ଜଳପ୍ରପାତ ନିକଟରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ବିରଳ କଦଳୀ ଗଛ ରହିଛି। ଏହି କଦଳୀ ଗଛର ନାଁ ଲୋକମାନେ ରାମ କଦଳୀ ଦେଇଛନ୍ତି।

ଓଲଟା ଭାବେ ଫଳିଥିବା କଦଳୀ କାନ୍ଧିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି। ଏଠାରେ ଥିବା ଜଳ ପ୍ରପାତକୁ ବୁଲି ଆସୁଥିବା ଲୋକମାନେ କଦଳୀ ଗଛକୁ ଦେଖିବାକୁ ବେଶ ଆଗ୍ରହ ମଧ୍ୟ ଦେଖାଉଛନ୍ତି। କିନ୍ତୁ କ’ଣ ପାଇଁ କଦଳୀ କାନ୍ଧି ଉପରକୁ ମୁହଁ କରିଛି? ଏହା କେଉଁ ବ୍ରିଡର କଦଳୀ, ସେ ବିଷୟରେ କିଛି ବି ଜଣାପଡ଼ିନି।

ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି କଦଳୀ ଗଛ କେବେଠାରୁ ରହିଛି, ତା’ର ଖବର ମଧ୍ୟ କାହା ପାଖରେ ନାହିଁ। ତେବେ କିମ୍ବଦନ୍ତୀ ରହିଛି ଯେ ଭଗବାନ ରାମ ୧୪ ବର୍ଷର ବନବାସ ସମୟରେ ତୋଡ଼ାଘାଗୀ ଜଳପ୍ରପାତ ନିକଟରେ ଥିବା ଗୁମ୍ଫାରେ ରାତ୍ରୀଯାପନ କରିଥିଲେ। ଏହି ସମୟରେ ସମ୍ଭବତଃ ସେ କୌଣସି କଦଳୀ ଗଛ ଏଠାରେ ଲଗାଇଥିଲେ କିମ୍ବା କଦଳୀ ଖାଇଥିଲେ। ଏହା ପରଠାରୁ ଏଠାରେ ଥିବା କଦଳୀ ଗଛର କଦଳୀ କାନ୍ଧି ଉପରକୁ ମୁହଁ କରି ଫଳୁଛି। ଭଗବାନ ରାମଙ୍କ ପାଇଁ ଗଛରେ ଭିନ୍ନ ଧରଣର କଦଳୀ କାନ୍ଧି ଫଳୁଥିବାରୁ ଲୋକମାନେ ଏହାକୁ ରାମ କଦଳୀର ନାଁ ଦେଇଛନ୍ତି।

ଲୋକଙ୍କ ମଧ୍ୟରେ ରାମ କଦଳୀକୁ ନେଇ ବେଶ ଉତ୍ସାହ ରହିଛି। କିନ୍ତୁ ଗଛଟି ପାହାଡ଼ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି। ଏଠାକୁ କୌଣସି ଭଲ ରାସ୍ତା ନଥିବାରୁ ଅନେକ ଲୋକ ଗଛ ଦେଖିବାକୁ ଯାଇ ପାରୁ ନାହାନ୍ତି। ତେଣୁ ଭଲ ରାସ୍ତାର ବ୍ୟବସ୍ଥା ହୋଇପାରିଲେ ଅଧିକରୁ ଅଧିକ ଲୋକେ ଏହାକୁ ଦେଖି ପାରିବାର ସୁଯୋଗ ପାଇବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।