ରାସନ କାର୍ଡ ଅନିୟମିତତାକୁ ବିରୋଧ ଘଟଣା: ହିତାଧିକାରୀଙ୍କ ଘର ପୋଡି, ଝିଅକୁ ଅପହରଣ ଉଦ୍ୟମ ଅଭିଯୋଗ

ଜୟପୁର: ରାସନ କାର୍ଡ ଅନିୟମିତତା ବିରୋଧରେ ପ୍ରତିବାଦ କରିବା ମହଙ୍ଗା ପଡିଛି ଜଣେ ହିତାଧିକାରୀଙ୍କୁ। ରାସନ କାର୍ଡରୁ ନାଁ କଟିଯିବା ପରେ ଏହାର ବିରୋଧରେ ସ୍ୱର ଉଠାଇଥିବା ହିତାଧିକାରୀଙ୍କ ଘର ପୋଡି ଦିଆଯିବା ସହ ତାଙ୍କ ଝିଅକୁ ଅପହରଣ କରିବାକୁ ଉଦ୍ୟମ କରାଯିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ନାରିଗାଁରୁ। ଆଉ ଅଭିଯୋଗଟି ଜଣେ ଯୋଗାଣ ସହାୟକଙ୍କ ବିରୋଧରେ ହୋଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ପ୍ରସ୍ତୁତ ରାସନ କାର୍ଡରୁ ନାରିଗାଁର ସତ୍ୟନାରାୟଣଙ୍କ ନାଁ କଟିଯାଇଥିଲା। ଏହାର କିଛିଦିନ ପରେ ନାରିଗାଁର ହିତାଧିକାରୀ ରାସନ କାର୍ଡ ଅନିୟମିତତା ଅଭିଯୋଗ ନେଇ ପଞ୍ଚାୟତ ଅଫିସ ଘେରାଉ କରିଥିଲେ। ତେବେ ସତ୍ୟନାରାୟଣ ଅନ୍ୟ ଆଶାୟୀ ହିତାଧିକାରୀଙ୍କୁ ନେଇ ଆନ୍ଦୋଳନ କରିଥିବାରୁ ତାଙ୍କ ଘରକୁ ପୋଡି ଦିଆଯାଇଥିଲା। ଏପରି କି ତାଙ୍କ ଝିଅକୁ ଅପହରଣ କରି ନେବା ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ୩ଜଣ ଯୁବକ ତାଙ୍କ ଝିଅ ମୁହଁରେ ସ୍ପ୍ରେ ମାରି ଅପହରଣ ପାଇଁ ଉଦ୍ୟମ କରିଥିଲେ। ଏସବୁ ପଛରେ ଯୋଗାଣ ସହାୟକ ଡି.ସନ୍ତୋଷ କୁମାରଙ୍କ ହାତ ଥିବା ସତ୍ୟନାରାୟଣ ଅଭିଯୋଗ କରିଛନ୍ତି।

ତେବେ ଯୋଗାଣ ସହାୟକ ଡି. ସନ୍ତୋଷ କୁମାର ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅପହରଣ କି ଘରପୋଡି ଘଟଣାରେ ମୋର ସମ୍ପୃକ୍ତ ନାହିଁ। ସେମାନେ ମୋତେ ଏହି ଘଟଣାରେ ଫସାଇବାକୁ ଚେଷ୍ଟା କରୁଛନ୍ତି।