ରଥ ଚଢିବା ମାମଲା: ଶଙ୍କରାଚାର୍ଯ୍ୟଙ୍କୁ ପକ୍ଷଭୁକ୍ତ କଲେ ହାଇକୋର୍ଟ

କଟକ: ରଥଯାତ୍ରା ସମୟରେ ଶଙ୍କରାଚାର୍ଯ୍ୟ ରଥ ଉପରେ ଚଢ଼ିବା ସମ୍ପର୍କିତ ମାମଲାରେ ହାଇକୋର୍ଟ ଶଙ୍କରାଚାର୍ଯ୍ୟଙ୍କୁ ପକ୍ଷଭୁକ୍ତ କରିଛନ୍ତି। ମାମଲାରେ ନିଜର ପକ୍ଷ ରଖିବାକୁ ହାଇକୋର୍ଟ ଶଙ୍କରାଚାର୍ଯ୍ୟଙ୍କୁ ନୋଟିସ୍ ଜାରି କରିଛନ୍ତି। ରଥ ଉପରେ ଚଢ଼ି ଦିଅଁ ଦର୍ଶନ ଉପରେ ଶ୍ରୀମନ୍ଦିର ପ୍ରଶାସନ କଟକଣା ଜାରି କରିବା ପରେ ବିବାଦ ଦେଖାଦେଇଥିଲା। ଏ ସମ୍ପର୍କରେ ମନ୍ଦିର ପ୍ରଶାସନ ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କ ମତାମତ ଲୋଡ଼ା ଯାଇଥିଲା। ତାଙ୍କ ମତାମତ ଆଧାରରେ ସେବାୟତଙ୍କ ବ୍ୟତୀତ ଗଜପତି ମହାରାଜ ଓ ଶଙ୍କରାଚାର୍ଯ୍ୟ କେବଳ ରଥକୁ ଚଢି ଦିଅଁ ଦର୍ଶନ କରିପାରିବେ ବୋଲି ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା। ମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ ବେଆଇନ ଦର୍ଶାଇ ଏହାକୁ ରଦ୍ଦ କରିବା ଲାଗି ବସନ୍ତ ବେହେରା ନାମକ ଜଣେ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ।