ରାଜନେତା କହିଲେଣି- ‘ଭଣ୍ଡାର ଖୋଲ, ୭୮ ମସିହା ତାଲିକା ସହ ମେଳ କର’

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରତ୍ନଭଣ୍ଡାରର ନକଲି ଚାବିକୁ ନେଇ ବିବାଦ ବଢୁଥିବା ବେଳେ ସେଇ ଚାବିରେ ଭଣ୍ଡାର ଖୋଲିବାକୁ ଜୋର ଧରିଛି ଦାବି । ଆଜି ଦଇତାପତି ନିଯୋଗ ଓ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଦାବି କରିଛନ୍ତି, ମିଳିଥିବା ଚାବିରେ ରତ୍ନଭଣ୍ଡାର ଖୋଲାଯାଉ । ଅଳଙ୍କାର ସୁରକ୍ଷିତ ଅଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସାର୍ବଜନୀନ ଭାବେ ଘୋଷଣା କରନ୍ତୁ। ଏଣେ ୧୯୭୮ରେ ପ୍ରସ୍ତୁତ ଅଳଙ୍କାର ତାଲିକା ସହ ବର୍ତ୍ତମାନର ଅଳଙ୍କାର ତାଲିକାକୁ ମେଳ କରିବା ପାଇଁ ସେତେବେଳର ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଦାବି କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଟୁଇଟ୍‌ କରି ଭଣ୍ଡାରର ଅଡିଟ୍‌ ପାଇଁ ଦାବି କରିଛନ୍ତି।

ଡୁପ୍ଲିକେଟ ଚାବି ମିଳିବା ପରେ ସବୁ ମହଲରେ ବଢୁଛି ସନ୍ଦେହ। ତୀବ୍ର ହେଉଛି ଅସନ୍ତୋଷ। ମିଳିଥିବା ନକଲି ଚାବିରେ ରତ୍ନଭଣ୍ଡାର ଖୋଲିବ କି ନାହିଁ ତାକୁ ନେଇ ବି ସନ୍ଦେହ କରିଛି ଦଇତାପତି ନିଯୋଗ । ରେକର୍ଡରୁମ୍‌ରେ ନକଲି ଚାବି କିଏ ରଖିଥିଲା ତାହା ପ୍ରଶାସନ ସ୍ପଷ୍ଟ କରୁ ବୋଲି ଆଜି ଦାବି କରିଛନ୍ତି ମନ୍ଦିର ପରିଚାଳନା କମିଟିର ସଦସ୍ୟ ମନୋରଂଜନ ସିହାଂରୀ । ଏହି ଭଣ୍ଡାର ଦାୟିତ୍ୱରେ ରହୁଥିବା ମେକାପ ସେବାୟତ ମଧ୍ୟ ନକଲି ଚାବିକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି॥

୧୯୭୮ରେ ପୂର୍ବତନ ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମୟରେ ଖୋଲାଯାଇଥିଲା । ଭିତର ରତ୍ନଭଣ୍ଡାର  ସେତେବେଳେ ପ୍ରସ୍ତୁତ ହୋଇଥିବା ଇନଭେଣ୍ଟୋରୀ ଅନୁସାରେ ବାହାର ରତ୍ନ ଭଣ୍ଡାରରେ ୩୧ ପ୍ରକାର ଅଳଙ୍କାର ରହିଛି । ସେହିପରି ଭିତର ଭଣ୍ଡାରରେ ରାଜା ମହାରାଜାମାନେ ଅନ୍ୟ ରାଜ୍ୟ  ଜୟ କରି ଆଣିଥିବା ୩୪ ଟି ସ୍ୱଣ୍ଣ ମୁକୁଟ, ହୀରାନୀଳା ଲାଗିଥିବା ରାମାନନ୍ଦୀ ଚିତା, ମର୍କତକଣ୍ଠୀ, ମର୍କତ ଚୁନୀ, ୧୨୪ ପ୍ରକାର କଳିଙ୍ଗ ହୀରା ଥିବାର ତାଲିକା ରହିଛି । ଏହାବାଦ ୨୩୪ ପ୍ରକାର ମାଣିକ୍ୟ ଚୁନୀ,୨୬ ପ୍ରକାର ବୈଦୁର୍ଯ୍ୟ, ରତ୍ନଖଚିତ ୧୨୩ ଭରିର ସୁନା ମାଳା, ୧୫ ଭରି ସୁନା ମଗର ମୁହଁ ଖଡୁ , ୩୭ ଭରିର ପଦ୍ନ ପାଖୁଡା,ଏମିତ ଅନେକ ସୁନା, ହୀରା, ମୋତି ମାଣିକ୍ୟର ର ତାଲିକା ରହିଛି ।

ଏବେ ନକଲି ଚାବିକୁ ନେଇ ସନ୍ଦେହ  ବଢୁଥିବାରୁ ଏଥିରେ ରତ୍ନଭଣ୍ଡାର ଖୋଲିବ କି ନାହିଁ ତାହା ପରୀକ୍ଷା ହେବା ଦରକାର ବୋଲି କହିଛନ୍ତି ପୂର୍ବତନ ଆଇନ ମନ୍ତ୍ରୀ । ତୁରନ୍ତ ରତ୍ନ ଭଣ୍ଡାର ଖୋଲି  ତାଙ୍କ ସମୟରେ ହୋଇଥିବା ତାଲିକା ସହ ଅଳଙ୍କାର  ମେଳ କରିବାକୁ ଦାବି କରିଛନ୍ତି ବିଶ୍ୱଭୂଷଣ।

ସେପଟେ ରତ୍ନଭଣ୍ଡାରର ଅଡିଟ୍ କରିବାକୁ ଦାବି କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆଜି ଟୁଇଟ୍ କରି ନିରଞ୍ଜନ କହିଛନ୍ତି, ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ନେଇ ଗତ କିଛି ଦିନ ହେବ ଯେଉଁ ଘଟଣାମାନ ଘଟିଛି, ତାହା ଆମ ସବୁ ଓଡିଆଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି  । ଆମେ ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ସୁରକ୍ଷାକୁ ନେଇ ଚିନ୍ତିତ।  ପ୍ରଭୁଙ୍କ ସମ୍ପତ୍ତି ଯେ ସୁରକ୍ଷିତ ତାହା ନିଶ୍ଚିତ କରିବା ଲାଗି ମୁଖ୍ୟମନ୍ତ୍ରୀ ତୁରନ୍ତ ଅଡିଟ୍ ଘୋଷଣା କରନ୍ତୁ ।

ସେପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ମିଳିବା ପ୍ରସଙ୍ଗକୁ ନେଇ ଆଜି ବିଜେପି ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଜନ ସତ୍ୟାଗ୍ରହ ଆରମ୍ଭ କରାଯାଇଛି । ରତ୍ନଭଣ୍ଡାର ଅସଲି ଚାବି ହଜିବା ଘଟଣାରେ ଏତଲା ନ ରଖାଯିବା, ନକଲି ଚାବି ମିଳିବା ଘଟଣାରେ ସରକାରଙ୍କ ଦାୟିତ୍ୱହୀନତାକୁ ଦାୟୀ କରିବା ସହ ଦୋଷୀ ଜିଲ୍ଲାପାଳଙ୍କୁ ଗିରଫ କରିବା ପାଇଁ ଦାୟୀ କରିଛି ବିଜେପି।