ଜିଲ୍ଲାପାଳଙ୍କ ଅଫିସ୍‌ରେ ଛିଞ୍ଚାହେଲା ଗୋବର ପାଣି

ପୁରୀ(ଓଡିଶା ରିପୋର୍ଟର): “ପାଣ୍ଡିଆନ୍‌ ସାର୍‌ ଖରାପ ଭାବିବେ। ମୁଁ ଏବେ ଚାବି ଦେବିନି। ମିଛ ପରେ ମିଛ କହୁଛନ୍ତି ଜିଲାପାଳ। ଗୋଟେ ମୁହଁରେ ଶହେ ପ୍ରକାର କଥା କୁହାଯାଏ ନାହିଁ। ସେ ଜାଣି ରଖିବା ଦରକାର ସେ ଜଣେ ଜିଲାପାଳ, ରାମ-ଦାମ କି ସାମ ନୁହେଁ ।”

ଏମିତି କହି ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ କଟାକ୍ଷ କରିଛନ୍ତି ଜଗନ୍ନାଥ ସେନା ଆବହକ ପ୍ରୀୟଦର୍ଶନ ପଟ୍ଟନାୟକ। ରତ୍ନଭଣ୍ଡାର ଚାବି ହଜିବା ଏବଂ ପରେ ଏହାର ଡୁପ୍ଲିକେଟ୍‌ ଚାବି ମିଳିବା ପ୍ରସଙ୍ଗରେ ପୁରୀ ଜିଲାପାଳ ଅଡୁଆରେ ପଡିଥିବା ବେଳେ ଆଜି ଅଭିନବ ଉପାୟରେ ପ୍ରତିବାଦ କରିଛି ଜଗନ୍ନାଥ ସେନା। ଜିଲାପାଳଙ୍କ ଅଫିସ୍‌ ପରିସରରେ ଥିବେ ରେକର୍ଡ ରୁମ୍‌ରେ ପଡିଛି ଗୋବାର ପାଣି। ଆଉ ସେନା ଚେତାବନୀ ଦେଇଛି ଗୋବର ପାଣି ଖାଲି ଜିଲାପାଳଙ୍କ ଅଫିସ୍‌ରେ ନୁହେଁ ସାରା ବଡଦାଣ୍ଡରେ ଆଉ ପୁରୀ ସହରରେ ଆଗାମୀ ଦିନରେ ପକାଇ ପ୍ରତିବାଦ କରାଯିବ।

ସେନାର ଆବାହକ ପ୍ରୀୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଜିଲାପାଳ ଡାହା ମିଛ କହିଛନ୍ତି। ଆଉ ତାଙ୍କ ଏହି ମିଛ ପ୍ରତିକ୍ରିୟା ଯୋଗୁ ସବୁ ଅପବିତ୍ର ହୋଇପଡିଛି। ଏହି ଅପବିତ୍ରତାକୁ ସଂସ୍କାର କରିବାକୁ ଯାଇ ଗୋବର ପାଣି ଛିଞ୍ଚାଯାଉଛି।

ରତ୍ନଭଣ୍ଡାର ଚାବି ହଜିବା ନେଇ ବହୁ ତୁମ୍ବିତୋଫାନ ପରେ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଏହି ଚାବି ପାଇଥିବା କଥା ଗଣମାଧ୍ୟମରେ ବିବୃତ୍ତି ରଖିଥିଲେ । ଜିଲ୍ଲା ରେକର୍ଡ ରୁମ୍‌ ଲକରରୁ ଏହି ଡୁପ୍ଲିକେଟ୍‌ ଚାବି ମିଳିଥିବା କହିଥିଲେ ଅରବିନ୍ଦ ।  ତାଙ୍କର ଏକ ୪ ଜଣିଆ ଟିମ୍‌ ୫ ଦିନ ହେବ ଚାବି ଖୋଜୁ ଜିଲ୍ଲା ରେକର୍ଡ ରୁମ୍‌ ଲକରରେ ଥିବା ଏକ ଜଉମୁଦ ଲଫାପାରୁ ଚାବି ପାଇଛନ୍ତି ବୋଲି କହିବା ପରେ ଆରମ୍ଭ ହୋଇଥିଲା ରାଜନୀତି। ରତ୍ନଭଣ୍ଡରର ଅସଲ ଚାବି ହଜି ଯାଇଥିବା ବେଳେ ଡୁପ୍ଲିକେଟ କେଉଁଠୁ ଆସିଲା ବୋଲି ପ୍ରଶ୍ନ ଉଠାଇଥିଲେ ଅନେକ ରାଜନେତା ଓ ପୂର୍ବଥର ରତ୍ନଭଣ୍ଡାର ଖୋଲିବା ବେଳେ ଦାୟିତ୍ୱରେ ଥିବା ପ୍ରକ୍ତାନ ପ୍ରଶାସକ।

ହେଲେ ଜଗନ୍ନାଥ ସେନା ଦାବି କରିଥିଲା ମିଳିଥିବା ଡୁପ୍ଲିକେଟ୍‌ ଚାବି ସାର୍ବଜନୀନ କରାଯାଉ। ଯଦି ଏପରି କରା ନ ଯାଏ  ତେବେ ଜିଲାପାଳ ଜୁଆଡେ ଜୁଆଡେ ଯିବେ ସିଆଡେ ସିଆଡେ ଗୋବର ପାଣି ପକାଇ ପବିତ୍ର କରାଯିବ। ଆଉ ଏହି କଥାକୁ ଆଜି କାମରେ କରି ଦେଖାଇଛି ସେନା।