ରାଉରକେଲା ହାଇଟେକ୍ କଲେଜ ନାମଲେଖା ବିବାଦ: ଅନିଶ୍ଚିତତା ମଧ୍ୟରେ ୧୦୦ ଛାତ୍ରଛାତ୍ରୀଙ୍କ ଭାଗ୍ୟ

ଭୁବନେଶ୍ୱର: ବଢିବାରେ ଲାଗିଛି ରାଉରକେଲା ହାଇଟେକ୍ କଲେଜ ବେଆଇନ୍ ନାମଲେଖା ବିବାଦ। କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କୁ ବେଆଇନ ଭାବେ ନାମ ଲେଖାଇବା ମହାଙ୍ଗା ପଡିଛି। ଅନିଶ୍ଚିତତା ଭିତରକୁ ଚାଲିଯାଇଛି ୧୦୦ ଏମବିବିଏସ ସିଟରେ ଆଡିମିଶନ କରିଥିବା ପିଲାଙ୍କ ଭାଗ୍ୟ। ରାଉରକେଲାରେ ଆଡମିଶନ କରିଥିବା ପିଲାଙ୍କ କ୍ଲାସ ବନ୍ଦ କରିବା ସହ ରେଜିଷ୍ଟ୍ରେସନ ନମ୍ବର ନ ଦେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠି ଲେଖଛି ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ବିଭାଗ। ଏ ନେଇ ବିଜ୍ଞାପନ ଜରିଆରେ ଅବଗତ କରିବାକୁ ବିଭାଗ, ଓଜେଇଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶକ ଦେଇଛନ୍ତି।

ରାଜ୍ୟ ସରକାର ହାଇଟେକ୍ ମେଡିକାଲ କଲେଜ ଆଡମିଶନ ନେଇ ଏବେ କାର୍ଯ୍ୟନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଛାତ୍ରଛାତ୍ରଙ୍କୁ ରେଜିଷ୍ଟ୍ରେସନ ନମ୍ବର ଓ ପରୀକ୍ଷା ଦେବା ପାଇଁ ଅନୁମତି ନ ଦେବାକୁ ବିଭାଗ କହିଛି। ସେହିପରି ପଲାଙ୍କ କ୍ଲାସ ନ କରେଇବା ପାଇଁ ହାଇଟେକ୍ କଲେଜକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ କୁହାଯାଇଛି। ନାମଲେଖା ବିବାଦ ସମ୍ପର୍କରେ ଏବଂ ସୁପ୍ରିମକୋର୍ଟରେ ଏସଏଲପି ଦାଖଲ ହୋଇଥିବା ସମ୍ପର୍କରେ ବିଜ୍ଞାପନ ଦେବାକୁ ଓଜେଇଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଓଜେଇ ଅଧ୍ୟକ୍ଷ ତୁଷାର କୁମାର ନାଥ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୫-୧୬ ଶିକ୍ଷାବର୍ଷରେ ରାଉରକେଲା ହାଇଟେକ୍ କଲେଜରେ ନାମଲେଖାକୁ ନେଇ ବିବାଦ ଉଠିଥିଲା। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଏଆଇପିଏମଟି ରାଙ୍କ ଅନୁସାରେ ଆଡମିଶନ ନ କରି କଲେଜ କର୍ତ୍ତୃପକ୍ଷ ନିଜେ ପରୀକ୍ଷା କରି ଆଡମିଶନ କରାଇଥିଲେ। ଏହା ଓଡ଼ିଶା ପ୍ରଫେସନାଲ ଏଜୁକେସନ୍ ଆକ୍ଟ ଓ ଏମସିଆଇର ଗାଇଡଲାଇନ୍ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା। ବେଆଇନ ନାମ ଲେଖା ନେଇ ଓଜେଇଇ କର୍ତ୍ତୃପକ୍ଷ ତଦନ୍ତ କରିବା ପରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।