ରେଭେନ୍ସା ବିଶ୍ୱବିଦ୍ୟାଳୟର ଆଉ ଜଣେ ଅଧ୍ୟାପିକା ଆଣିଲେ ନିର୍ଯାତନା ଅଭିଯୋଗ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଭିତିରି କଥା ଧୀରେ ଧୀରେ ଫିଟିବାରେ ଲାଗିଛି। କେବଳ ଛାତ୍ରୀଙ୍କୁ ନୁହେଁ, ଅଧ୍ୟାପିକାଙ୍କୁ ମଧ୍ୟ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଉଦ୍ଦେଶ୍ୟମୂଳକ ଭାବେ ହଇରାଣ ହରକତ କରିବା ସହ କର୍ମକ୍ଷେତ୍ରରେ ନିର୍ଯାତନା ଦିଆଯାଉଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ମୁଖ୍ୟ ଅଧ୍ୟାପିକା ଅଞ୍ଜୁମନ ଆରା ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, କିଛି ହିନ୍ଦୀ ବିଭାଗର ଦୁଇଜଣ ଅଧ୍ୟାପକ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ଅଶାଳୀନ ବ୍ୟବହାର ପ୍ରର୍ଦଶନ କରିଥିଲେ। ସେ ଏନେଇ ତତକାଳୀନ କୁଳପତିଙ୍କୁ ଅବଗତ କରାଇବା ସହ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ସଂପୃକ୍ତ ଦୁଇ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ। ଅବଶ୍ୟ ଏହି ଦୁଇ ଅଧ୍ୟାପକଙ୍କ ମଧ୍ୟରୁ ଜଣେ ସ୍ୱଇଚ୍ଛାରେ ଇସ୍ତଫା ଦେଇସାରିଛନ୍ତି। ତେବେ ଇସ୍ତଫାପତ୍ରରେ ଏହି ଅଧ୍ୟାପକ ଜଣକ ଓଲଟି ତାଙ୍କ ଉପରେ ଦୋଷ ଲଦିଥିଲେ।  ଇସ୍ତଫା ନ ଦେଲେ  ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବାକୁ ସେ ଧମକ ଦେଇଥିବା ଏହି ଅଧ୍ୟାପକ ଜଣକ ଦର୍ଶାଇଥିଲେ।

ଗତ ଶୁକ୍ରବାର ଦିନ ଅନ୍ୟ ଜଣେ ଅଧ୍ୟାପିକା ମଧ୍ୟ ତାଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆଣିଥିଲେ।

କିଛିମାସ ପୂର୍ବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଡିନ୍ ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରି ବିଶ୍ୱବିଦ୍ୟାଳୟରୁ ବିଦା ହୋଇଥିଲେ।