ରେଭେନ୍ସାରେ ନିର୍ଯାତନା ଅଭିଯୋଗ: ଫ୍ୟାକ୍ଟ୍ ଫାଇଣ୍ଡିଂ କମିଟି ଆଗରେ ହାଜର ହେଲେନି ୩ ଅଧ୍ୟାପିକା

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ୩ ଜଣ ଅଧ୍ୟାପିକା ନିର୍ଯାତନା ଅଭିଯୋଗ ଆଣିବା ପରେ ଏହାର ତଦନ୍ତ ଆରମ୍ଭ କରିଛି କୁଳପତିଙ୍କ ଦ୍ୱାରା ଗଠିତ ଫ୍ୟାକ୍ଟ ଫାଇଣ୍ଡି କମିଟି। କମିଟି ଆଜି ତିନି ଜଣ ଯାକ ଅଧ୍ୟାପିକାଙ୍କୁ ହାଜର ହୋଇ ପକ୍ଷ ରଖିବାକୁ ନୋଟିସ୍ ଜାରି କରିଥିଲା। କିନ୍ତୁ ଆଜି ଏହି ତିନି ଅଭିଯୋଗକାରୀଙ୍କ ମଧ୍ୟରେ କେହି ବି କମିଟି ଆଗରେ ହାଜର ହୋଇ ନ ଥିଲେ। ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନେ କୁଳପତିଙ୍କୁ ଭେଟି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି।

ହିନ୍ଦୀ ବିଭାଗର ଅଞ୍ଜୁମନ ଆରା, ସୋସିଓଲୋଜିର ଅନୀତା ଦାସ ଓ ଉଦ୍ଭିଦ ବିଜ୍ଞାନର ଆସୋସିଏଟ୍ ପ୍ରଫେସର ସଂହିତା ପାଢ଼ି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ କିଛି ଅଧ୍ୟାପକଙ୍କ ବିରୁଦ୍ଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ବିଶ୍ୱବିଦ୍ୟାଳୟରେ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରିବା ପାଇଁ ତାଙ୍କୁ କିଛି ଅଧ୍ୟାପକ ମାନସିକ ନିର୍ଯାତନା ଦେଇଥିବା ଅଞ୍ଜୁମ ଆରା ଅଭିଯୋଗ କରିଥିଲେ।

ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଆଗରେ ଉପସ୍ଥିତ ନ ହେବା ନେଇ ସଂହିତା ପାଢ଼ିଙ୍କ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି ଯେ ଫ୍ୟାକ୍ଟ ଫାଇଣ୍ଡି କମିଟି ଆଗରେ ହାଜର ହେବା ପାଇଁ ଆଜି ଦିନ ସାଢ଼େ ଗୋଟାଏରେ ତାଙ୍କ ପାଖରେ ଚିଠି ପହଞ୍ଚିଥିଲା। କମିଟି ଆଗରେ ହାଜର ହେବା ପାଇଁ ପ୍ରସ୍ତୁତ ହେବାକୁ ତାଙ୍କୁ ଦିନେ କି ଦୁଇ ଦିନ ଆବଶ୍ୟକ। ତା’ଛଡ଼ା ଏହି ଆଭ୍ୟନ୍ତରୀଣ କମିଟି ଉପରେ ସେ ବିଶ୍ୱାସକୁ ନେବେ କି ନାହିଁ ତାହା ଉପରେ ବି ବିଚାର କରିବେ। କାରଣ ଆଭ୍ୟନ୍ତରୀଣ କମିଟିରେ ବିଶ୍ୱବିଦ୍ୟାଳୟର ଅଧିକାରୀ ଅଛନ୍ତି। ସେମାନଙ୍କ ଭିତରକୁ କିଛି ଏହି ଘଟଣା ସହିତ ଜଡ଼ିତ ଅଛନ୍ତି। କିନ୍ତୁ କୌଣସି ନିରପକ୍ଷ କମିଟି ଆଗରେ ସେମାନେ ହାଜର ହେବା ପାଇଁ ପ୍ରସ୍ତୁତ।