ରାୟଗଡ଼ା: ଲଖପଦରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ପୋଲିସ୍-ମାଓବାଦୀ ଗୁଳିବିନିମୟ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ନିୟମଗିରି ଲଖପଦରରେ ମଙ୍ଗଳବାର ମାଓବାଦୀ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ବିସ୍ଫୋରଣ ପରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ତେବେ ମାଓବାଦୀମାନେ ସେଠାରୁ ଖସି ଯିବାରେ ସଫଳ ହୋଇଥିଲେ। ପୋଲିସ୍ ଘଟଣାସ୍ଥଳରୁ ୫ଟି ଗୁଳି, ଗୋଟିଏ ଟିଫିନ୍ ବୋମା ଓ ଆଉ କିଛି ମାଓ ସାମଗ୍ରୀ ଜବତ କରିଛି।

ଗୁଳିବିନିମୟ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଏସପି କେ. ଶିବା ସୁବ୍ରମଣି  କହିଥିଲେ ଯେ ଲଖପଦରରେ ମାଓବାଦୀ ଥିବା ନେଇ ଗତକାଲି ସୂଚନା ମିଳିଥିଲା। ଏହା ପରେ ପୋଲିସ୍ ପକ୍ଷରୁ ଉକ୍ତ ଅଞ୍ଚଳରେ କମ୍ବିଂ କରାଯାଇଥିଲା। ଆଜି ସକାଳେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ମାଓବାଦୀମାନେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ। ଏଥିରେ କୌଣସି ସୁରକ୍ଷାକର୍ମୀ ହତାହତ ହୋଇ ନ ଥିଲେ। ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ପରେ ମାଓବାଦୀମାନେ ଗୁଳି ଚଳାଇଥିଲେ। ପୋଲିସ୍ ମଧ୍ୟ ଏହା ଜବାବ ଦେଇଥିଲା। ପ୍ରାୟ ୪୫ ମିନିଟ୍ ଧରି ଗୁଳିବିନିମୟ ହୋଇଥିଲା। ପୋଲିସ୍ ପକ୍ଷରୁ ୪୨ ରୁ ୪୩ ରାଉଣ୍ଡ ଗୁଳି ଚଳାଯାଇଥିଲା। ଏହା ପରେ ସେଠାରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ସର୍ଚ୍ଚ ବେଳେ ୫ଟି ଗୁଳି ଓ ଗୋଟିଏ ଟିଫିନ୍ ବୋମା ଜବତ କରାଯାଇଥିଲା। ତା’ସହିତ ଆଉ କିଛି ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା।

ଏସପି କହିଛନ୍ତି, ଗୁଳିବିନିମୟରେ କୌଣସି ମାଓବାଦୀ ମରିଥିବାର ସୂଚନା ନାହିଁ। ତେବେ ଆଶା କରାଯାଉଛି ସେମାନଙ୍କ ମଧ୍ୟରୁ କିଛି ଆହତ ହୋଇଥିବେ।