ଜହ୍ନ ଆଲୁଅରେ ଖେଳୁଥିଲେ ଜୁଆ! ମାଡ଼ି ବସିଲା ପୁଲିସ

କଲ୍ୟାଣସିଂହପୁର (ମାଉଡି ବାରିକ): କୁମ୍ଭାର ପୂର୍ଣ୍ଣିମା ଅବସରରେ ମତୁଆଲା ହେଉଥିଲେ ଜୁଆଡ଼ି। ଜହ୍ନ ଆଲୁଅରେ ଜୁଆ ଖେଳରେ ମାତିଥିଲେ। ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ଏପରି ଅସର ଜମିଥିଲା। ଅଚାନକ ପୁଲିସ୍‌ ଚଢ଼ଉ କରି ୫୮ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି।

କୁମ୍ଭାର ପୂର୍ଣ୍ଣିମା ଅବସରରେ ରାୟଗଡ଼ା ଜିଲ୍ଲାରେ ବହୁ ପରିମାଣରେ ଜୁଆ ଖେଳ ହେଉଥିଲା। ଜୁଆଡିମାନେ ଜୁଆ ଖେଳରେ ନିଜର ସର୍ବଶ୍ୱ ଲଗାଇ ଦେଉଛନ୍ତି। ଆଉ ପରବର୍ତ୍ତୀ ସମୟରେ ପୂରା ପରିବାର ସର୍ବହରା ହୋଇଯାଉଛି। ଜୁଆ ଖେଳ ନେଇ ରାୟଗଡ଼ାରେ ୪ଟି, ଟିକିରିରେ୧, ଗୁଣୁପୁରରେ ୨, ବିଷମକଟକରେ ୧, ଅମ୍ୱାଦଳାରେ ୨, କଲ୍ୟାଣସିଂହପୁରରେ ଗୋଟିଏ ଓ କେସିପୁର ଥାନା ଅଞ୍ଚଳରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଥିଲା। ଏହା ପରେ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ତା’ପରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା।

ଚଢ଼ଉ ସମୟରେ ପୁଲିସ୍‌କୁ ସଫଳତା ମିଳିଛି। କେତେକ ସ୍ଥାନରେ ଜୁଆଡ଼ିମାନେ ଫେରାର ହୋଇଥିବା ବେଳେ ଆଉ କିଛି ସ୍ଥାନରେ ପୁଲିସ ଜୁଆଡିଙ୍କୁ ଧରିବାରେ ସଫଳ ହୋଇଛି। ପୁଲିସ ୧୩ଟି ମାମଲା ରୁଜୁ ୫୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଏଥିସହ ନଗଦ ୨ ଲକ୍ଷ ୨୯ ହଜାର ୬୦୦ ଟଙ୍କା, ୨୩ଟି ମୋବାଇଲ, ୩ ବାଇକ୍‌, ତାଷ ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି ପୁଲିସ। ତେବେ ଯେଉଁ ଅଭିଯୁକ୍ତମାନେ ଫେରାର ଅଛନ୍ତି, ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।