ସାଧାରଣତନ୍ତ୍ର ଦିବସକୁ ମାଓବାଦୀଙ୍କ ବର୍ଜନ: ରାୟଗଡ଼ାରେ ଜଳାପୋଡ଼ା, ବଲାଙ୍ଗିରରେ ପୋଷ୍ଟର

ରାୟଗଡ଼ା/ବଲାଙ୍ଗିର: ସାଧାରଣତନ୍ତ୍ର ଦିବସକୁ ମାଓବାଦୀମାନେ ବିରୋଧ କରିଛନ୍ତି। ସାଧାରଣତନ୍ତ୍ରୀ ଦିସବକୁ ବର୍ଜନ କରିବାକୁ ସେମାନେ ଡାକରା ଦେଇଥିଲେ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଡାଲିଆନୁଜି ଗାଁରେ ମାଓବାଦୀମାନେ ତାଣ୍ଡବ ରଚିଛନ୍ତି। ସୋମବାର ବିଳମ୍ୱିତ ରାତିରେ ପ୍ରାୟ ୨୦ରୁ ଅଧିକ ମାଓବାଦୀ ଗାଁକୁ ଆସି ଗୋଟିଏ ଜେସିବି ଓ ଟ୍ରାକ୍ଟର ପୋଡ଼ି ଦେଇଛନ୍ତି। ଘଟଣାସ୍ଥଳରେ ମାଓବାଦୀମାନେ ବ୍ୟାନର ଓ ପୋଷ୍ଟର ଛାଡ଼ିଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ସାଧାରଣତନ୍ତ୍ର ଦିବସକୁ ବର୍ଜନ କରିବା ସହ ରାସ୍ତାକାମକୁ ବିରୋଧ କରୁଥିବା ଉଲ୍ଲେଖ କରାଯାଇଛି। ମୁନିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେହିପରି ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ପାହାଡ଼ ପାରସାଲିଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରରେ ସାଧାରଣତନ୍ତ୍ର ଦିବସକୁ ମାଓବାଦୀମାନେ ବିରୋଧ କରିଛନ୍ତି ଓ ଆଜିର ଦିନକୁ କଳା ଦିବସ ରୂପେ ପାଳନ କରିବାକୁ ନିବେଦନ କରିଛନ୍ତି। ଏହା ସହିତ ନିୟମଗିରି ଅଞ୍ଚଳକୁ ଜିଲାପାଳଙ୍କ ବାରମ୍ୱାର ଗସ୍ତକୁ ବି ବିରୋଧ କରିଛନ୍ତି ମାଓବାଦୀ।

ସେହିପରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ନାକଡେରା, ତେଲେନପାଲି, ମହାରାପଦର ଓ ଚାଉଲବାଞ୍ଜିଠାରେ ଆଜି ସକାଳେ ମାଓବାଦୀ ମାନେ ସାଧାରଣତନ୍ତ୍ର ଦିବସକୁ କଳାଦିବସ ରୂପେ ପାଳନ କରିବାକୁ ଆହ୍ୱାନ ଦେଇ ପୋଷ୍ଟର ଓ କଳା ପତାକା ମାରିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପୋଷ୍ଟରରେ ଚାଷୀ ଆତ୍ମହତ୍ୟା ପାଇଁ ସରକାର ଦାୟୀ କରାଯିବା ସହ ସାମନ୍ତ, ମହାଜନୀ ଶୋଷଣ ବନ୍ଦ, ଲୋୟର ସୁକତେଲ, ପୂଜାରୀପାଲି ନିର୍ମାଣକୁ ବିରୋଧ କରିବା, ଗନ୍ଧମାର୍ଦ୍ଧନ ପାହାଡରେ ବକ୍ସାଇଟ ଖଣି ଖାଦନ ବନ୍ଦ କରିବା, ଦଲିତ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ କରିବା, ସ୍ନେହଲତା ହତ୍ୟାକାଣ୍ଡାର ସମ୍ପୃକ୍ତ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେବାକୁ ଉଲ୍ଲେଖ କରାଯାଇଛି। ପୋଷ୍ଟରରେ ବରଗଡ ବଲାଙ୍ଗିର ମହାସମୂନ୍ଦ ଡିଭିଜନ କମିଟି ବୋଲି ଉଲ୍ଲେଖ ରହିଛି।