ରେଳମନ୍ତ୍ରୀଙ୍କୁ ଭେଟି ୫ହଜାର କୋଟି ଟଙ୍କା ଦାବି କଲା ରାଜ୍ୟ ଗୃହ କମିଟି

ଭୁବନେଶ୍ୱର: ଆସନ୍ତା ରେଳ ବଜେଟରେ ଓଡ଼ିଶାକୁ ୫ହଜାର କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ଆଜି ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଭେଟି ରାଜ୍ୟ ବିଧାନସଭା ଗୃହ କମିଟି ପକ୍ଷରୁ ଦାବି କରାଯାଇଛି। ରେଳ ବଜେଟରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେବାକୁ କମିଟି ସଦସ୍ୟମାନେ ରେଳମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ସେହିପରି ବଲାଙ୍ଗୀର ଜିଲ୍ଲାରେ ୱାଗନ୍ କାରଖାନା ପ୍ରତିଷ୍ଠା ପାଇଁ ପୂର୍ବରୁ ହୋଇଥିବା ଘୋଷଣା କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଯାଇଥିବା ଗୃହ କମିଟିରେ ସମସ୍ତ ଦଳର ବିଧାୟକ ଏବଂ ସାଂସଦମାନେ ସାମିଲ ହୋଇଥିଲେ।

ବାଚସ୍ପତି ନିରଞ୍ଜନ ପୂଜାରୀ କହିଛନ୍ତି ଆମେ ଆମ ଦାବି ଜଣାଇଛୁ। ବିଶେଷ କରି କେବିକେ ଅଞ୍ଚଳରେ ରେଳସେବା ଉପରେ ଗୁରୁତ୍ୱ ଦେବାକୁ ଜଣାଇଛୁ।

ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା କହିଛନ୍ତି ପୂର୍ବରୁ ନିଷ୍ପତ୍ତି ହୋଇଥିବା ଅନୁଯାୟୀ ଦାବି ଉପସ୍ଥାପନ କରିଲୁ। ଗତବର୍ଷ ବଜେଟରେ କେନ୍ଦ୍ର ସରକାର ରାଜ୍ୟ ପାଇଁ ଅଧିକ ଅର୍ଥ ବ୍ୟୟବରାଦ କରିଥିଲେ। ଏଥର ବି ସେପରି କିଛି କରିବେ ଆଶା ରଖିଛୁ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ୨ଟି ନୂଆ ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ରେଳମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଥିଲୁ। ଚଳିତବର୍ଷ ଅତିକମରେ ଗୋଟିଏ ନୂଆ ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।