ଶିଶୁକୁ କାଖେଇ ମୃତଦେହକୁ କାନ୍ଧ ଦେଲେ ମହିଳା

ମାଲକାନଗିରି (ଜିତେନ୍ଦ୍ର ବେଉରା): ସରକାର ମୃତଦେହ ନେବାପାଇଁ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ୱେ ମୃତଦେହକୁ ଅସମ୍ମାନ କରାଯାଉଛି। ମହାପ୍ରୟାଣ କିମ୍ୱା ଆମ୍ୱୁଲାନ୍ସ ନ ମିଳିବାରୁ ପରିବାର ଲୋକେ ମେଡିକାଲରୁ ଷ୍ଟ୍ରେଚରରେ ଶବକୁ କାନ୍ଧରେ ବୋହି ଘରକୁ ନେଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମୁସାକିଗୁଡା ଗାଁରେ।

ସବୁଠାରୁ ହୃଦୟ ବିଦାରକ ଥିଲା ଜଣେ ମହିଳା ତାଙ୍କ ସନ୍ତାନକୁ କାଖେଇ ମୃତଦେହ କାନ୍ଧରେ ବୋହି ନେଉଥିଲେ। ଏଭଳି ଦୃଶ୍ୟକୁ ଲୋକେ ଦେଖୁଥିଲେ ମଧ୍ୟ କେହି ଜଣେ ବି ସହଯୋଗର ହାତ ବଢ଼େଇ ନଥିଲେ।

ମୁସାକିଗୁଡା ଗାଁର ଜଣେ ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କିଛି ଦିନ ତଳେ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରାଯାଇଥିଲା। ଗତକାଲି ବୃଦ୍ଧଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମୃତଦେହକୁ ନେବା ପାଇଁ ଆମ୍ବୁଲାନ୍ସଟିଏ ଯୋଗାଇ ଦେବା ପାଇଁ ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ। ହେଲେ ମେଡିକାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଖରାପ ହୋଇ ପଡ଼ିଛି ବୋଲି କହିଥିଲେ। ଏହାପରେ ପରିବାର ଲୋକଙ୍କୁ  କିଛି ବୁଦ୍ଧି ବାଟ ଦିଶି ନଥିଲା।

ଆର୍ଥିକ ଅବସ୍ଥା ଭଲ ଥିବାରୁ ଘରୋଇ ଆମ୍ବୁଲାନ୍ସ ଭଡ଼ା କରିପାରି ନ ଥିଲେ। ଶେଷରେ ନିରୁପାୟ ହୋଇ ପରିବାର ଲୋକେ ମେଡିକାଲରୁ ଏକ ଷ୍ଟ୍ରେଚର ସାହାଯ୍ୟରେ କାନ୍ଧରେ ଶବକୁ ବୋହି ଦୁଇ କିଲୋମିଟର ଦୂର ନିଜ ଗାଁ ମୁସାକିଗୁଡାକୁ ନେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।