ରେଭେନ୍ସା ଅଧ୍ୟାପିକା ଉତ୍ପୀଡନ ମାମଲା: କୁଳପତିଙ୍କୁ ରିପୋର୍ଟ ପ୍ରଦାନ କଲେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

କଟକ: ରେଭେନ୍ସା ଅଧ୍ୟାପିକା ଉତ୍ପୀଡନ ଘଟଣାରେ ଗଠିତ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଆଜି କୁଳପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଅଭିଯୋଗକାରିଣୀ ଅଧ୍ୟାପିକାମାନେ ଟିମ୍ ଆଗରେ ଉପସ୍ଥିତ ହୋଇ ନ ଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଡକ୍ଟର ସ୍ମରପ୍ରିୟା ମିଶ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍ ୭ଦିନ ପରେ ଆଜି ରେଭେନ୍ସା କୁଳପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ନିଜ ପ୍ରତି ଉତ୍ପୀଡନ ଅଭିଯୋଗ ଆଣିଥିବା ଉଦ୍ଭିଦ ବିଜ୍ଞାନ ବିଭାଗର ଆସୋସିଏଟ ପ୍ରଫେସର ଡକ୍ଟର ସଂହିତା ପାଢୀ, ହିନ୍ଦୀ ବିଭାଗର ମୁଖ୍ୟ ଡକ୍ଟର ଅଞ୍ଜୁମନ ଆରା ଓ ସମାଜଶାସ୍ତ୍ର ବିଭାଗର ଆସୋସିଏସଟ ପ୍ରଫେସର ଡକ୍ଟର ଅନିତା ଦାସ ଟିମ୍ ସମ୍ମୁଖରେ ଉପସ୍ଥିତ ରହି ନିଜ ବୟାନ ଦେବାକୁ ମନା କରିଦେଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ଅଭିଯୋଗକାରିଣୀ ଅଧ୍ୟାପିକାମାନେ ଅଭିଯୋଗପତ୍ରରେ କୌଣସି ବ୍ୟକ୍ତିଙ୍କ ନାମ ଉଲ୍ଲେଖ ନ କରିବା ଏବଂ ଟିମକୁ ସାମ୍ନା ନ କରିବାରୁ ତଦନ୍ତରେ ଏହା ବାଧା ସୃଷ୍ଟି କରୁଛି ବୋଲି କହିଛନ୍ତି ରେଭେନ୍ସା କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ। ତେବେ ଅଭିଯୋଗକାରିଣୀମାନେ ଚାହିଁଲେ ସେମାନଙ୍କୁ ଟିମ୍ ଆଉ ଏକ ସୁଯୋଗ ଦେବ ବୋଲି କୁଳପତି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପ୍ୟାକ୍ଟ ଫାଇଣ୍ଡିଂ ଟିମ୍ ନିରପେକ୍ଷ ନୁହେଁ ଏବଂ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ଅଭିଯୋଗକାରିଣୀ ଅଧ୍ୟାପିକା ଡକ୍ଟର ଅଞ୍ଜୁମନ ଆରା।