ଡିଭାଇଡରରେ ଠିଆ ହୋଇଥିଲେ; ମାଡ଼ି ଆସିଲା ବୋଲେରୋ, ତା’ପରେ…

ସୁନ୍ଦରଗଡ଼(ବିଜୟ ବରୁଆ): ଡିଭାଇଡରରେ ଛିଡା ହୋଇଥିଲେ। ହଠାତ୍‌ ମାଡି ଆସିଲା ଏକ ବୋଲେରୋ। କିଛି ବୁଝିବା ଆଗରୁ ଉପରେ ଚଢ଼ି ଚାଲିଗଲା। ଆଉ ଆଖି ପିଛୁଳାକେ ନେଇଗଲା ଜଣଙ୍କ ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ୍‌ ୱେର ଗଡ଼ପୋଷ ଛକ ନିକଟରେ। ଏକ ଟ୍ରଲର୍‌ ଗୋଟିଏ ବୋଲେରୋକୁ ଧକ୍କା ଦେବାରୁ ବୋଲେରୋଟି ଭାରସାମ୍ୟ ହରାଇ ଜଣେ ମହିଳାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ମଧ୍ୟ ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ କଲେଷ୍ଟିକା ସୋରଙ୍ଗ। ତାଙ୍କ ଘର ନକଟି ଗାଁରେ।

ସୂଚନା ଅନୁସାରେ, କଲେଷ୍ଟିକା ରାସ୍ତା ପାରି ହେବା ପାଇଁ ଡିଭାଇଡରରେ ଠିଆ ହୋଇଥିଲେ। ସେହି ସମୟରେ ଏକ ବୋଲେରୋକୁ ପଛପଟୁ ଏକ ଟ୍ରଲର୍‌ ଧକ୍କା ଦେଇଥିଲା। ଫଳରେ ବୋଲେରୋଟି ଛିଟିକି, ଡିଭାଇଡରେ ଠିଆ ହୋଇଥିବା କଲେଷ୍ଟିକାଙ୍କ ଉପରେ ମାଡି ଯାଇଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଛନ୍ତି।