ବାଇକ୍ ଥୋଇ ଦୋକାନ ଖୋଲୁଥିଲେ, ଡିକିରୁ ଲୁଟେରା ନେଇଗଲେ ୧୧ ଲକ୍ଷ

ସମ୍ବଲପୁର(ସଞ୍ଜୟ ଜେନା): ବାଇକ୍ ଥୋଇ ନିଜର ଏୟାର କଣ୍ଡିସନର ମରାମତି ଦୋକାନ ତାଲା ଖୋଲୁଥିଲେ। ତାଲା ଖୋଲିସାରି ବୁଲି ଦେଖନ୍ତି ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ଡିକି ଭାଙ୍ଗି ସେଥିରେ ଥିବା ୧୧ ଲକ୍ଷ ଟଙ୍କା ଧରି ଛୁ ହୋଇଗଲେ। ଦୁର୍ବୃତ୍ତମାନେ ଆସିଥିବା ବାଇକ୍‌ରେ ଦୃତଗତିରେ ଘଟଣାସ୍ଥଳରୁ ପଳାଇ ଯାଇଥିବା ବେଳେ ସେମାନଙ୍କୁ ଧରିବାରେ ଦୋକାନୀ ଜଣକ ଫେଲ୍ ମାରିଥିଲେ। ଆଜି ସମ୍ବଲପୁର ସହରର ମୁଦିପଡ଼ା ଅଞ୍ଚଳରେ ଜଣେ ବ୍ୟବସାୟୀ ଏଭଳି ଲୁଟ୍‌ର ଶିକାର ହୋଇଛନ୍ତି। ପରେ ସେ ନେଇ ସମ୍ବଲପୁର ଟାଉନ ଥାନାରେ ଏତଲା ଦେଇଛନ୍ତି।

ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗକାରୀଙ୍କ କହିବା ମୁତାବକ, ଆଜି ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ସେ ମୁଦିପଡ଼ା ଛକ ସ୍ଥିତ ନିଜର ଏୟାର କଣ୍ଡିସନର ମରାମତି ଦୋକାନକୁ ବାଇକ୍‌ରେ ଆସିଥିଲେ। ଦୋକାନ ଆଗରେ ବାଇକ୍ ରଖିଥିଲେ। ପରେ ଦୋକାନ ତାଲା ଖୋଲୁଥିଲେ, ଏହି ସମୟରେ ତାଙ୍କ ବାଇକ ଡିକିରେ ଥିବା ଟଙ୍କା ଲୁଟ ହୋଇଯାଇଥିଲା। ୨ ଜଣ ଅଜ୍ଞାତ ଲୋକ ଏକ ମୋଟର ସାଇକେଲରେ ଆସି ଡିକିରୁ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ସେ ଆଜି ୨ ଟି ବ୍ୟାଙ୍କରୁ ଟଙ୍କା ଉଠାଣ କରିଥିଲେ। ତାଙ୍କ ପାଖରେ ବି କିଛି ନଗଦ ଟଙ୍କା ବି ଥିଲା। ଯାହାକୁ ସେ ବାଇକ୍‌ ଡିକିରେ ରଖିଥିଲେ। ସମ୍ଭବତଃ ଲୁଟେରାମାନେ ତାଙ୍କୁ ବ୍ୟାଙ୍କ ପାଖରୁ ପିଛା କରିଥିଲେ ବୋଲି ଦୋକାନୀ କହିଛନ୍ତି। ସେପଟେ ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।