ସିସିଟିଭରେ ଲୁଟେରା, କିନ୍ତୁ ମାସେ ହେଲା ପୁଲିସ୍‌ ହାତ ଖାଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର: ଭୁବନେଶ୍ୱରର କୋଳଥିଆରେ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ ଘଟଣାକୁ ମାସେ ବିତି ଯାଇଥିଲେ ମଧ୍ୟ ପୁଲିସ୍‌ ଏଯାଏ ଅଭିଯୁକ୍ତମାନଙ୍କୁ ଧରିପାରି ନାହିଁ। ଲୁଟ ବେଳର ଦୃଶ୍ୟ ଓ ଲୁଟେରାଙ୍କ ମୁହଁ ସିସିଟିଭିରେ କଏଦ ହୋଇଥିଲା। ହେଲେ ଏଯାଏ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ ପୁଲିସ୍‌। ଅଭିଯୋଗକାରୀ ପୁଲିସ୍‌ ନିକଟରେ ବାରମ୍ବାର ଫେରାଦ ହେଉଥିଲେ ହେଁ କୌଣସି ସୁଫଳ ମିଳୁନ ଥିବା ଅଭିଯୋଗ କରିଛନ୍ତି।

ଗତ ଏପ୍ରିଲ ୧ ତାରିଖରେ କୋଳଥିଆ ଖାରବେଳ କମ୍ପ୍ଲେକ୍ସରେ ଲୁଟେରାମାନେ ଝରକା ତାଡ଼ି ଗୋଟିଏ ଘରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା, ଓ ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଘରର ମାଲିକ ଲୁଟ ସମ୍ପର୍କରେ ଜାଣିବା ପରେ ସିସିଟିଭି ଫୁଟେଜ ସହ ଥାନାରେ ଅଭିଯୋଗ କରିଥିଲେ।

ଏଫଆଇଆର ଅନୁଯାୟୀ, ସୁଚରିତା ରଣା ପୁଲିସ୍‌ ନିକଟରେ ଲୁଟ ସମ୍ପର୍କରେ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ ଦୁଇ ଜଣ ଲୁଟେରା ତାଙ୍କ ଘରୁ ଗୋଟିଏ ସୁନା ଚେନ, ୩ଟି ସୁନା କାନ ଫୁଲ, ୨ଟି ସୁନା ମଙ୍ଗଳସୂତ୍ର, ୪ଟି ସୁନା ମୁଦି, ୪ଟି ସୁନା ଲକେଟ, ୨ଟି ସୁନା ଚୁଢ଼ି ଓ ୨ଟି ରୁପା ଆଙ୍କଲେଟ ନେଇ ଯାଇଛନ୍ତି। ସେ ଏପ୍ରିଲ ୧ ତାରିଖ ଦିନ ୧.୩୩ରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍‌ ଏଯାଏ ଲୁଟେରାଙ୍କୁ ଧରିପାରି ନାହିଁ। ତେବେ ଏ ସମ୍ପର୍କରେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।