ସ୍ମାର୍ଟ ହେଲା ରାଉରକେଲା: ଏଣିକି ଅଟୋରେ ସୁରକ୍ଷିର ରହିବେ ଝିଅ, କାରଣ…

ରାଉରକେଲା(ଓଡ଼ିଶା ରିପୋର୍ଟର): ସ୍ୱାବଲମ୍ବୀ ହେବେ ମହିଳା। ରାଉରକେଲା ସ୍ମାର୍ଟ ସିଟି ଲିମିଟେଡକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜିଠାରୁ ସହରରେ ଆରମ୍ଭ ହୋଇଛି ପିଙ୍କ ଅଟୋ ସେବା। ପ୍ରଥମ ପର୍ଯ୍ୟାୟରେ ୨୧ଜଣ ମହିଳାଙ୍କୁ ଏହି ପିଙ୍କ ଅଟୋ ପ୍ରଦାନ କରାଯାଇଛି। ବ୍ୟାଟେରୀ ଚାଳିତ ଏହି ଅଟୋକୁ ମହିଳାମାନେ ଚଲାଇବେ।

ପିଙ୍କ କଲର ଡ୍ରେସ ସାଙ୍ଗକୁ ମୁଣ୍ଡରେ ଟୋପି। ପିଙ୍କ ଅଟୋକୁ ଚଲାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ମହିଳା। ସୁନ୍ଦରଗଡ ଜିଲ୍ଲାପାଳ ଭିନିଜ ଭରଦ୍ୱାଜ ଓ ସ୍ମାର୍ଟ ସିଟି ସିଇଓ ମୋନୀଷା ବାନାର୍ଜୀ ପତକା ଦେଖାଇ ଶୁଭାରମ୍ଭ କରିବା ପରେ ଆରମ୍ଭ କରିଛନ୍ତି ପିଙ୍କ ଅଟୋ ସେବା। ଏହି ପିଙ୍କ ଅଟୋକୁ ମହିଳାମାନେ ଚଲାଇବେ ଓ ବସିବେ। ତେବେ ମହିଳା ଯାତ୍ରୀ ନଥିଲେ ଅଟୋରେ ପୁରୁଷ ମଧ୍ୟ ବସି ପାରିବେ।

ଅଟୋ ଚାଳିକା ଆରତୀ ସାହୁ କହିଛନ୍ତି-“ଆମେ ଅଟୋରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ବସାଇବୁ। ଯଦି ଅଟୋରେ କେହି ନଥିବେ, ତାହାହେଲେ ସତର୍କତାର ସହିତ ପୁରୁଷଙ୍କୁ ବସାଇବୁ।”

ଅଟୋ କିଣିବା ପାଇଁ ଏସବିଆଇ ପକ୍ଷରୁ ଋଣ ଯୋଗାଇ ଦିଆଯାଇଛି। ଋଣ ଯୋଗାଣରେ ୪ ପ୍ରତିଶତ ରିହାତି ଥିବା ବେଳେ ଅଟୋ ଯୋଗାଇବାରେ ସରକାର ୨୫ ପ୍ରତିଶତ ସବସିଡି ଦେଇଛନ୍ତି। ଏହା ଦ୍ୱାରା ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ।

ସୁନ୍ଦରଗଡ ଜିଲ୍ଲାପାଳ ଭିନିତ ଭରଦ୍ୱାଜ କହିଛନ୍ତି-“ଅଟୋ ଚଳାଇବାରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ମହିଳାମାନଙ୍କୁ ତାଲିମ ଦିଆଯାଇଛି। ଏହି ଅଟୋରେ ପୁରୁଷ ଓ ମହିଳା ସମସ୍ତେ ବସି ପାରିବେ। କେବଳ ମହିଳା ଚଲାଇବେ।”

ରାଉରକେଲା ସ୍ମାର୍ଟ ସିଟି ସିଇଓ ମୋନିଷା ବାନାର୍ଜୀ କହିଛନ୍ତି-“ପିଙ୍କ ଅଟୋରେ ପୁରୁଷ ଓ ମହିଳା ଯାତ୍ରୀ ଯାତ୍ରା କରିପାରିବେ। ତେବେ ଅଟୋରେ କାହାକୁ ନେବେ ତାହା ଅଟୋ ଚାଳକ ଉପରେ ନିର୍ଭର କରୁଛି।”