କରୋନା ବେଳେ ଓଡ଼ିଶାରେ ୩୦୬୨ ସ୍ଥାନରେ ସେବାକାର୍ଯ୍ୟ କରୁଛି ଆର୍‌ଏସ୍‌ଏସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ଓଡ଼ିଶା ତରଫରୁ ୩୦୬୨ ସ୍ଥାନରେ ସେବାକାର୍ଯ୍ୟ କରାଯାଇଛି। ଏଥିରେ ୭୭୪୯ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ସ୍ୱୟଂସେବକମାନଙ୍କ ଦ୍ୱାରା ୩୨,୯୬୭ ରାସନ କିଟ, ୧୮୨୮୧୫ ଲୋକଙ୍କୁ ଖାଦ୍ୟ ପ୍ୟାକେଟ ଓ ୧୯୦୩୦୫ ମାସ୍କ ବଣ୍ଟନ କରାଯାଇଛି। ୧୨୭ ଷ୍ଟେ’ ହୋମ୍‌ରେ ସହାୟତା, ୨୦୫୦୪ ପ୍ରବାସୀଙ୍କୁ ସହୟତା, ୭୪୪ ୟୁନିଟ ରକ୍ତଦାନ ଓ ୯୨୬୦୦ ଜଣଙ୍କୁ କାଢା ବିତାରଣ କରାଯାଇଛି। ୧୩୯୫ ଯାଯାବର ଲୋକଙ୍କୁ ସହାୟତା, ୨୧ଟି ଭୋଜନ ବିତରଣ କେନ୍ଦ୍ର ମାଧ୍ୟମରେ ୨୬୯୮୩ ମଜଦୁରୁଙ୍କୁ ସହାୟତା, ୨୪ଟି କେନ୍ଦ୍ର ମାଧ୍ୟମରେ ୧୭୨୬୬ ଜଣ ବସ ଓ ରେଳ ଯାତ୍ରୀଙ୍କୁ ସହାୟତା ପ୍ରଦାନ କରାଯାଇଛି।

ସେହିପରି ସାରା ଭାରତ ବର୍ଷରେ ‘ସେବା ଭାରତୀ’ ମାଧ୍ୟମରେ ଦେଶର ୯୨,୬୫୬ ସ୍ଥାନରେ ସେବା କାର୍ଯ୍ୟ କରାଯାଇଛି। ଯେଉଁଥିରେ ୫,୬୦,୦୦୦ କାର୍ଯ୍ୟକର୍ତ୍ତା ସକ୍ରିୟ ଥିଲେ। ୭୩ ଲକ୍ଷ ରାସନ କିଟ ବଂଟନ କରାଯାଇଛି। ୪.୫ କୋଟି ଲୋକଙ୍କୁ ଖାଦ୍ୟ ପ୍ୟାକେଟ ବଂଟନ କରାଯାଇଛି। ୯୦ ଲକ୍ଷ ମାସ୍କ ବଂଟନ କରାଯାଇଛି। ୨୦ ଲକ୍ଷ ପ୍ରବାସୀଙ୍କୁ ସହାୟତା ପ୍ରଦାନ କରାଯାଇଛି। ୨.୫ ଲକ୍ଷ ଯାଯାବର ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଛି। ସ୍ୱୟଂସେବକମାନେ ୬୦ ହଜାର ୟୁନିଟ୍‌ ରକ୍ତଦାନ କରିଥିଲେ ବୋଲି ଆରଏସ୍‌ଏସ୍‌ ଓଡ଼ିଶା ତରଫରୁ କୁହାଯାଇଛି।

ସୂଚନାରୁ ପ୍ରକାଶ, ବେଙ୍ଗାଲୁରରେ ମାର୍ଚ୍ଚ ୧୯ ଓ ୨୦ ଦୁଇ ଦିନ ଧରି ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ହୋଇଯାଇଛି। ସେହି ସଭାରେ ଓଡ଼ିଶାରୁ ୧୫ ଜଣ କାର୍ଯ୍ୟକର୍ତ୍ତା ପ୍ରତ୍ୟକ୍ଷ ଭାବେ ଅଂଶ ଗ୍ରହଣ କରିଥିବା ବେଳେ ଅନ ଲାଇନରେ ୨୬ ଜଣ ଭାଗ ନେଇଥିଲେ। ୪୫୦ ଜଣ ନିର୍ବାଚିତ କେନ୍ଦ୍ରୀୟ ପ୍ରତିନିଧି ଏଥିରେ ଯୋଗଦେଇ ଥିଲେ। କରୋନା କାରଣରୁ ଅନ୍ୟ ୧୦୦୦ ସଦସ୍ୟ ୪୪ଟି ସ୍ଥାନରେ ଅନ ଲାଇନ ମାଧ୍ୟମରେ ଏହି ସଭାରେ ଭାଗନେଇଥିଲେ।

କରୋନା ସମୟରେ ଶାଖା ବନ୍ଦ ଥିଲା। କିନ୍ତୁ ସଂଘର ସ୍ୱୟଂସେବକମାନେ ସକ୍ରିୟ ଥିଲେ। କରୋନା କଟକଣା ଉଠିବା ପରେ ଭାରତରେ ୭୪,୦୦୦ ସଂଘ ଶାଖା ଚାଲୁଅଛି। ଓଡ଼ିଶାରେ ମଧ୍ୟ ୧୫୬୫ଟି ଶାଖା ଲାଗୁଛି। ବର୍ତ୍ତମାନ ପରିବାର ପ୍ରବୋଧନ, ଗୋ ସେବା, ପର୍ଯ୍ୟାବରଣ ସୁରକ୍ଷା ଓ ସାମାଜିକ ସମରସତା ଗତିବିଧି ଆଦି କାର୍ଯ୍ୟକ୍ରମ ଚାଲୁଅଛି। ଆଗାମୀ ସମୟରେ ଗ୍ରାମ ବିକାଶ ଓ ଜୈବିକ କୃଷି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ କାମ ଆରମ୍ଭ କରାଯିବ। ୧୩ ଅପ୍ରେଲରେ ସଂଘ ଭୂମି ସୁପୋଷଣ (ଭୁମି ପୁଷ୍ଟିକର) ଅଭିଯାନ ଆରମ୍ଭ କରିବାକୁ ଯାଉଛି।

ସାମ୍ୱାଦିକ ସମ୍ମିଳନୀରେ ସଂଘର ଓଡିଶା ପୂର୍ବ ପ୍ରାନ୍ତର ସଂଘଚାଳକ ସମୀର କୁମାର ମହାନ୍ତି ସହ ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ଓ  ଭାରତର ପୂର୍ବକ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ର ଉପସ୍ଥିତ ଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।