ରୁଚିକା ମହାନ୍ତି ମୃତ୍ୟୁ ମାମଲା: ତଦନ୍ତ ରିପୋର୍ଟ ମାଗିଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ କମିଶନରେଟ ପୁଲିସକୁ ତଦନ୍ତ ରିପୋର୍ଟ ମାଗିଲା ଉଚ୍ଚ ଶିକ୍ଷା ବିଭାଗ। ତଦନ୍ତ କେତେବାଟରେ ପହଞ୍ଚିଛି ତାହାର ସ୍ଥିତି ସମ୍ପର୍କରେ ଆଜି ହିଁ ରିପୋର୍ଟ ଦେବାକୁ ଚିଠିରେ କୁହାଯାଇଛି। ଉଚ୍ଚ ଶିକ୍ଷା ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ ବିଷ୍ଣୁପଦ ସେଠୀ ଏହି ତଦନ୍ତ ରିପୋର୍ଟ ମାଗିଛନ୍ତି। ଭୁବନେଶ୍ୱର ପୁଲିସ ଡେପୁଟୀ କମିଶନରଙ୍କୁ ସେ ଚିଠି କରି ତଥ୍ୟ ମାଗିଛନ୍ତି। ଗତକାଲି ଏହି ଚିଠି ହୋଇଥିବା ଜଣାପଡ଼ିଛି। ଯାହାକୁ ଏନେଇ ଏହି ମାମଲା ପୁଣି ଚର୍ଚ୍ଚାକୁ ଫେରିଛି।

ସୂଚନା ଥାଉକି, ଗତ ଜୁଲାଇ ୧୧ ତାରିଖରେ ବିଜେବି କଲେଜର ଯୁକ୍ତ ତିନି ପ୍ରଥମ ବର୍ଷ ହିଷ୍ଟ୍ରି ଅନର୍ସ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟା ଘଟଣା ଆଗକୁ ଆସିବା ପରେ କଲେଜ ପରିସର ହୁଲସ୍ତୁଲ୍ ହୋଇ ଉଠିଥିଲା। ରୁଚିକାଙ୍କ ରୁମରୁ ମିଳିଥିବା ହାତଲେଖା ନୋଟ୍ ଏବଂ ପରିବାର ଲୋକଙ୍କ ଅଭିଯୋଗରୁ ଜଣାପଡିଥିଲା ଯେ, କିଛି ସିନିୟର ଛାତ୍ରୀ ରାଗିଂ କରୁଥିବାରୁ ରୁଚିକା ଆତ୍ମହତ୍ୟା କରିଥାଇପାରନ୍ତି। ପୂର୍ବରୁ ପରିବାର ଲୋକଙ୍କୁ ବି ଫୋନନ୍‌ରେ ଏ ନେଇ ରୁଚିକା ଜଣାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ତେଣୁ ଯେଉଁ ମାନେ ରାଗିଂ କରିଥିଲେ ସେମାନଙ୍କୁ ତୁରନ୍ତ ଖୋଜି ବାହାର କରିବାକୁ ଦାବି କରିଥିଲେ ରୁଚିକାଙ୍କ ପରିବାର।

ଏହି ମାମଲାରେ ପ୍ରକୃତ ସତ୍ୟାସତ୍ୟ ଉପସ୍ଥାପିତ କରିବାରେ ପୁଲିସ ଫେଲ ମାରିଥିବା ବେଳେ ଅନ୍ୟପଟେ ଏହା ସରକାରଙ୍କ ଦାୟିତ୍ୱହୀନତାର କାରଣ ବୋଲି ଅଭିଯୋଗ ହୋଇ ଆସୁଥିଲା। ହଷ୍ଟେଲରେ ରାଗିଂର ଶିକାର ହୋଇ ରୁଚିକା ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରି ନ୍ୟାୟ ମାଗିଥିଲେ। ଯାହାକୁ ନେଇ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ଦୋଷାରୋପ ମଧ୍ୟ କରାଯାଇଥିଲା। ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇ ମୃତ ଛାତ୍ରୀଙ୍କ ପରିବାରକୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।