ସଚିବାଳୟରୁ ତଡ଼ା ହେବେ ବୁଲା କୁକୁର

dogଭୁବନେଶ୍ୱର: ଦିନକୁ ଦିନ ବଢୁଛି ରାଜ୍ୟ ସଚିବାଳୟରେ ବୁଲା କୁକୁରଙ୍କ ଉପଦ୍ରବ। ମାଳମାଳ କୁକୁର ଏଣେ ତେଣେ ବୁଲିବା ଯୋଗୁଁ ଲୋକଙ୍କ ଯିବା ଆସିବାରେ ଅସୁବିଧା ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ପ୍ରତିକାର ପାଇଁ ବିଏମସି କର୍ତ୍ତୃପକ୍ଷଙ୍କୁ ସାଧାରଣ ପ୍ରଶାସନ ବିଭାଗର ଚିଠି କରିଛନ୍ତି।  ଚିଠିପରେ  ବିଏମସି ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛି। ସଚିବାଳୟର ପ୍ରବେଶ ପଥ ହେଉ କି ପାର୍କିଂ ଏରିଆ, କ୍ୟାଣ୍ଟିନ୍ ହେଉ କି ଅନ୍ୟନ୍ୟ ସ୍ଥାନ ସବୁଠି ବୁଲା କୁକୁରମାନେ ଅବାଧ ପ୍ରବେଶ କରି ଉପଦ୍ରବ କରୁଛନ୍ତି। ବାହାର ଅଞ୍ଚଳ କଥା ଛାଡ଼ନ୍ତୁ କରିଡରରେ ବି ଅବାଧ ଆତଯାତ କରୁଛନ୍ତି ବୁଲା କୁକୁର। ଏପରିକି ବିଭିନ୍ନ ବିଭାଗ ଆଗରେ ଏମିତି ଦିନରାତି ଶୋଇ ରହୁଛନ୍ତି ବୁଲା କୁକୁର। ଗୋଟିଏ କି ଦୁଇଟି ନୁହେଁ ସଚିବାଳୟ ପରିସରରେ ବୁଲୁଛନ୍ତି ମାଳମାଳ କୁକୁର। ଏମାନଙ୍କ ଭୁକିବା ଶବ୍ଦରେ କର୍ମଚାରୀ ବି ଅତିଷ୍ଠ ହୋଇପଡିଥିବା ଅଭିଯୋଗ ହୋଇଛି। ବୁଲା କୁକୁର ସମସ୍ୟା ଗୁରୁତର ହେବାପରେ ସଚିବାଳୟ ପରିସରରୁ ଏମାନଙ୍କୁ ଖାଲି କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ଚିଠି ଲେଖିଛନ୍ତି ସାଧାରଣ ପ୍ରଶାସନ ବିଭାଗ ଓଏସଡି। ଏଥିରେ ଉଲ୍ଲେଖ କରାଯାଇଛି ବହୁ ସଂଖ୍ୟାରେ ବୁଲାକୁକୁର ସଚିବାଳୟ ପରିସରରେ ବୁଲୁଥିବା ନଜରକୁ ଆସିଛି। ଏପରିକି ସାଧାରଣ ଲୋକ ଓ କର୍ମଚାରୀଙ୍କ ଯିବା ଆସିବାରେ ମଧ୍ୟ ବୁଲା କୁକୁର ପ୍ରତିବନ୍ଧକ ସାଜୁଛନ୍ତି। ଏସଂପର୍କରେ ବିଏମସି କମିଶନର୍  କ୍ରିଷନ କୁମାର କହିଛନ୍ତି, ସଚିବାଳୟରେ ବୁଲୁଥିବା କୁକୁରଙ୍କୁ ବାହାର କରିବା ସହ ସେମାନଙ୍କ ବନ୍ଧ୍ୟାକରଣ ପାଇଁ ପଦକ୍ଷେପ ନିଆଯାଉଛି।