ସାଧାରଣତନ୍ତ୍ର ଦିବସ ପରେଡ୍ ଦେଖିବାକୁ ଦିଲ୍ଲୀ ଗଲେ ଓଡ଼ିଶାର ବଣ୍ଡା ଦମ୍ପତି

ଭୁବନେଶ୍ୱର: ଆଗାମୀ ସାଧାରଣତନ୍ତ୍ର ଦିବସ ପରେଡ୍ ଦେଖିବା ପାଇଁ ଦିଲ୍ଲୀ ଯାଇଛନ୍ତି ଓଡ଼ିଶାର ବଣ୍ଡା ଦମ୍ପତି। ଏମାନେ ହେଉଛନ୍ତି ମାଲକାନାଗିରି ଜିଲ୍ଲା ମୁଦୁଲିପଡା ପଞ୍ଚାୟତ ଅନ୍ତର୍ଗତ ବାନ୍ଦିଗୁଡା ଗାଁର ଧବଲୁ ସୀସା ଓ ତାଙ୍କ ସ୍ତ୍ରୀ ସମରୀ ସୀସା। ଏହି ବଣ୍ଡା ଦମ୍ପତି ଦିଲ୍ଲୀରେ ସାଧାରଣତନ୍ତ୍ର ପରେଡ୍ ଦେଖିବା ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

ଦିଲ୍ଲୀ ଯିବା ପୂର୍ବରୁ ଗୁରୁବାର ଏହି ଦମ୍ପତିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିଥିଲେ। ଏହି ଅବସରରେ ଯୁକ୍ତଦୁଇ ଶ୍ରେଣୀରେ ପଢୁଥିବା ତାଙ୍କ ଝିଅକୁ ଏକ ଲାପଟପ ପ୍ରଦାନ କରିବା ସହିତ ମୁଦୁଲିପଡା ଗାଁକୁ ନିରବଚ୍ଛିନ୍ନ ବିଜୁଳି ସେବା ପାଇଁ ଏକ ସୌରଶକ୍ତି ପ୍ରକଳ୍ପ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିଭଳି ଖଇରିପୁଟରୁ ମୁଦୁଲିପଡ଼ା ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ, ଯୋଗ୍ୟ ଜନଜାତିଙ୍କୁ ପକ୍କାଘର, ପେନସନ ଓ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।