ବ୍ୟାଙ୍କରେ ଅଘଟଣ: ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଗ୍ରାହକ ମୃତ  

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ କେନ୍ଦୁପାଟଣା ଷ୍ଟେଟ୍ ବ୍ୟାଙ୍କ ଶାଖାର ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଅଚାନକ ଗୁଳି ଫୁଟି ଯିବାରୁ ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ତ୍ରିଲୋଚନ ସାମଲ। ତାଙ୍କ ଘର କେନ୍ଦୁପାଟଣାରେ।

ତ୍ରିଲୋଚନଙ୍କ ବାମ ଜଙ୍ଘ ଓ ଡାହାଣ ହାତରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଏସ୍‌ବିଆଇର ଉକ୍ତ ସୁରକ୍ଷାକର୍ମୀଙ୍କ ନାଁ ଗଜେନ୍ଦ୍ର ମଲ। ତାଙ୍କ ଘର ଜଗତପୁରର ଚାହାପଡ଼ା ଗାଁରେ। ଭୁଲବଶତଃ ବନ୍ଧୁକର ଟ୍ରିଗରରେ ତାଙ୍କ ହାତ ପଡ଼ି ଯିବାରୁ ଗୁଳି ଫୁଟିଥିଲା ବୋଲି ଜଣେ ବ୍ୟାଙ୍କ କର୍ମଚାରୀ କହିଛନ୍ତି।

ଘଟଣା ପରେ ସାଲେପୁର ପୋଲିସ୍ ଗଜେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ତାଙ୍କଠାରୁ ବନ୍ଧୁକ ଜବତ କରାଯାଇଛି।